ଅଗଣତାନ୍ତ୍ରିକ ଉପାୟରେ ବିଧାନସଭା ଅଧିବେସନକୁ ବନ୍ଦ କରିବା ବିଜେଡି ସରକାରଙ୍କ ପଳାୟନପନ୍ଥୀ କାର୍ଯ୍ୟ : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର, ତା.୦୧/୦୪: ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃଆରୀ ରୁ ଆସନ୍ତା ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଂଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ ବିନା ଆଲୋଚନାରେ ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରିତଭାବେ ବିଧାନସଭା ବନ୍ଦ କରିଦେଲେ ଏହାର ଉତର ରଖନ୍ତୁ । ଏ ସରକାର ହେଉଛି ପଳାୟନପନ୍ଥୀ ସରକାର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ବିଧାନସଭାରେ ୭ଟି ବିଲ୍ ପାରିତ ହେବାର ଥିଲା କିନ୍ତୁ ରାଜ୍ୟ ସରକାର ବିଧାନସଭା ଛାଡି ପଳାଇଲେ । ଓବିସି କମିଶନ ସଂଶୋଧନ ବିଲ୍ ୨୦୨୩, ଓଡିଶା ଆପାର୍ଟମେଂଟ୍ ମାଲିକାନା ଓ ପରିଚାଳନା ବିଲ୍‌, ଜମି ଅଧିଗ୍ରହଣ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ବିଲ୍ ଓ କାର୍ଯ୍ୟ ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ତାହାକୁ ପ୍ରତ୍ୟାହାର କରି ବିଧାନସଭାକୁ ବନ୍ଦ କରିଦେଇଥିଲେ । ଓବିସିମାନଙ୍କ ପାଇଁ ଧାରାବାହିକ ଭାବେ ପ୍ରତାରଣା କରିଚାଲିଥିବା ରାଜ୍ୟ ସରକାରଙ୍କର ଏହା ଆଉ ଏକ ଚରମ ବିଶ୍ୱାସଘାତକତା ।
ମୁଖ୍ୟମନ୍ତ୍ରୀ କହୁଛନ୍ତି “ଆଇନ ତା ବାଟରେ ଯାଉଛି” । କିନ୍ତୁ ବାସ୍ତବରେ କ’ଣ ସତରେ ଆଇନ ତା’ବାଟରେ ଯାଉଛି? ବିଜେପି ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲା । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ହେବାର ୬୦ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଓ ଷଡଯନ୍ତ୍ରକାରୀ କିଏ ତାହା ଆଜିପର୍ଯ୍ୟନ୍ତ ଜଣାପଡିଲା ନାହିଁ । ସେହିପରି ଝାରସୁଗୁଡାରେ ଜଣେ ଛୋଟ ପିଲାକୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟରେ ବର୍ଷକୁ ୧୩୭୯ ହତ୍ୟା, ୩୧୮୪ ଧର୍ଷଣ ହେଉଛି । ବିଗତ ୫ବର୍ଷରେ ୨୭ଶହ ପିଲା ଚୋରୀ ହୋଇଛି । ସେ ପିଲାମାନଙ୍କୁ କିଏ ଚୋରୀ କରୁଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ଓଡ଼ିଶାରେ ଏକ ନକଲି ସରକାର ଚାଲିଛି । ସାର୍ଟିଫିକେଟ ନକଲି, ଔଷଧ ନକଲି, ରତ୍ନଭଣ୍ଡାର ଚାବି ନକଲି, ୫ଟି ବିଭାଗ ନକଲି । ରାଜ୍ୟବାସୀ ଆଜି ବିଜୁ ଜନତା ଦଳର ଦୁର୍ନତୀରେ ଅସ୍ତବ୍ୟସ୍ତ । ଦୁର୍ନୀତିରେ ବିଜୁ ଜନତା ଦଳର ନେତା, ମନ୍ତ୍ରୀ ଓ ବିଧାୟକ ଲିପ୍ତ ରହୁଛନ୍ତି । ଆଗାମୀ ଦିନରେ ଓଡ଼ିଶାର ଜନତା ଏହାର ବିଚାର କରି ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଜଣେ ପୋଲିସ ଅଧିକାରୀ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ କିନ୍ତୁ ୬୦ଦିନ ବିତିଯାଇଥିଲେ ବି ହତ୍ୟା ପଛରେ କିଏ ଓ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ବିଧାନସଭାରେ ବିଜେପି ଏହି ପ୍ରସଙ୍ଗ ସହିତ ୫ଟି ବିଭାଗ ନାଁରେ ଚଂଚକତା, ଜଣେ ଅଧିକାରୀ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ରହିବା, ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁ, ସରକାରଙ୍କ ଜିରୋ ଟଲରାନ୍ସ ନୀତି କେବଳ ସ୍ଲୋଗାନରେ ସୀମିତି, ଦୁର୍ନୀତି ଓ ପିସିରେ ମାଲାମାଲ ଓଡିଶା ସରକାର, ରାଜ୍ୟରେ ବ୍ୟାପକ ଖଣିଜ ପଦାର୍ଥ ଲୁଟ୍‌, ୫ଟି ସ୍କୁଲ ରୂପାନ୍ତରୀକରଣ ନାମରେ ଛାତ୍ର ଓ ଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ, ମ୍ୟାଟ୍ରିକ ପରୀକ୍ଷା ପରିଚାଳନାରେ ଘୋର୍ ବିଭ୍ରାଟ ଓ ଟ୍ରପ୍ ଆଉଟ୍ ସଂଖ୍ୟା ବୃଦ୍ଧି, ଚାଷୀ ଓ ଚାଷ ବିପର୍ଯ୍ୟସ୍ତ, ଅଭାବୀ ଧାନବିକ୍ରୀ ସମସ୍ୟା, ରାଜ୍ୟର ସୀମା ବିବାଦ, ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ମହାନଦୀ ଜଳ ବିବାଦ ପ୍ରସଙ୍ଗ, ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାରର ମନ୍‌ମାନି, ପାନୀୟ ଜଳର ଅଭାବ ଓ ସମସ୍ୟା, ଜଙ୍ଗଲରେ ଲାଗିଥିବା ଅନିୟନ୍ତ୍ରିତ ନିଆଁ, ମିଶନ ଶକ୍ତି ନାଁରେ ମହିଳା ସଶକ୍ତିକରଣ କେବଳ ଲୋକ ଦେଖାଣିଆ ଓ ଭୋଟ୍ ସର୍ବଶ୍ୱ, ବିଜେଡି ବିଧାୟକ କ୍ରୀତଦାସ ହୋଇଯିବା ଆଦି ପ୍ରସଙ୍ଗକୁ ପ୍ରଭାବି ଢଙ୍ଗରେ ଉଠାଇଥିଲା । କିନ୍ତୁ ସରକାର କୌଣସି ଗୋଟିଏ ବି ପ୍ରସଙ୍ଗରେ ସନ୍ତୋଷ ଜନକ ଉତର ଦେଇପାରିଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଭାରତୀୟ ଜନତାପାର୍ଟି ଅଧିବେଶନ ଆରମ୍ଭ ଦିନରୁ ମୁଖ୍ୟ ବିରୋଧିଦଳ ହିସାବରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ସବୁ ଗୃହରେ ଯଥା ସମ୍ଭବ ଉତ୍‌ଥାପନ କରିଆସିଥିଲା । ଗୃହରେ ଆମ୍ଭେମାନେ ସରକାରଙ୍କୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ବଜେଟ୍ ଦାବୀ ଆଲୋଚନା ବେଳେ ରାଜ୍ୟର ବିକାଶ ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ସହ ସାଧାରଣ ଲୋକଙ୍କର ଯେଉଁସବୁ ମୌଳିକ ସମସ୍ୟାକୁ ସରକାର ନିରବଚ୍ଛିନ୍ନ ଭାବେ ଅଣଦେଖା କରିଚାଲିଛନ୍ତି ସେ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲୁ । ରାଜ୍ୟ ସରକାର ବିକାଶର ଯେଉଁ ମିଛ ଚିତ୍ର ଦେଖାଇଥିଲେ ତାକୁ ବିଧାନସଭାରେ ପର୍ଦ୍ଦାଫାସ କରାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀ, ବୁଧାନ ମୁର୍ମୁ, ଭବାନୀ ଭୋଇ, ପ୍ରକାଶ ସୋରେନ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love