ଟିଟିଲାଗଡ଼ରେ ୩ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ

ବଲାଙ୍ଗୀର/ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ଶନିବାର ଅପରାହ୍‌ଣରେ କଳାପତାକା ପ୍ରଦର୍ଶନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପରାସରା ଗାଁରେ ଯୁବ କଂଗ୍ରେସ କର୍ମକର୍ତ୍ତାମ‌ାନେ ମନ୍ତ୍ରୀ ଟୁକୁନି ସାହୁ, ସାରଦା ନାୟକ ଓ ପ୍ରୀତିରଂଜନ ଘଡ଼େଇଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ତିନି ମନ୍ତ୍ରୀଙ୍କୁ ଗୋ ବ୍ୟାକ୍‌ ନାରା ଦେଇଛନ୍ତି।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରୀବହନ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମମନ୍ତ୍ରୀ ସାରଦା ନାୟକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ଅପରାହ୍ଣରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଖୁଲାମରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଇଚଗାଁରେ ଠାରେ କଂଗ୍ରେସ କର୍ମକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। କୁର୍ଶୁଡ ଠାରେ ଉନ୍ଦେର ନଦୀରେ ମଞ୍ଜୁର ବ୍ୟାରେଜ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା, ପ୍ରଧାନ ମନ୍ତ୍ରୀ ଫସଲ ବୀମା, ନୂତନ ବସ୍‌ଷ୍ଟାଣ୍ଡ, ଅନ୍ୟାନ୍ୟ ସମସ୍ୟା ବିରୋଧରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବା ସହିତ ଗୋ ବ୍ୟାକ୍‌ ନାରା ଦେଇଥିଲେ। ବିରୋଧରେ ଯୁବ କଂଗ୍ରେସର ଦିଲେଶ୍ୱର ଜାଲ, କୁନା ସାହୁ, କାହ୍ନା ବେହେରା, ଆନନ୍ଦ କୁମାର ନାୟକ, ଚନ୍ଦନ ନାୟକ, ଟୁନା ଭୋଇ, ଧୁବଳେଶ୍ୱର ମଲ୍ଲିକ ସାମିଲ ଥିଲେ।

ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ହଟହଟା ହେବାକୁ ପଡ଼ିଥିଲା। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ନୁହଁନ୍ତି। ତାଙ୍କ ସାଙ୍ଗରେ ବିରୋଧର ଶିକାର ହୋଇଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲା ନର୍ଲାରେ ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନ ଓ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ପୂର୍ବରୁ ବିରୋଧୀ କଂଗ୍ରେସ କର୍ମକର୍ତ୍ତାଙ୍କ ଦ୍ବାରା ବିରୋଧର ଶିକାର ହୋଇଥିଲେ। ବହୁଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ, ୫ଟି ଯୋଜନାରେ ରୂପାନ୍ତରିତ କାର୍ଯ୍ୟରେ ହରିଲୁଟ ଓ ବ୍ଲକରେ ଶିକ୍ଷକ ସମସ୍ୟା ନେଇ ନର୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ସିଂହଙ୍କୁ ତୀବ୍ର ବିରୋଧ କରିଥିଲେ। ଉଭୟ ବିଧାୟକ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଣ୍ଡାମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। କଂଗ୍ରେସର କର୍ମକର୍ତ୍ତମାନେ ଦିବ୍ୟଶଙ୍କର ମିଶ୍ର ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରା ଦେଇଥିଲେ। ବର୍ଷାରେ ଭିଜିଭିଜି ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ।

Spread the love