ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣର କାରଣ କହିଲେ ଡାକ୍ତର ଗୁଲେରିଆ

ଦେଶରେ କରୋନା ମହାମାରୀ ସହ ବ୍ଲାକ ଫଙ୍ଗସ୍‌ (ମ୍ୟୁକର୍ମାଇକୋସିସ୍‌) ଆତଙ୍କ ସୃଷ୍ଟି କରିଛି। ଓଡ଼ିଶା ସମେତ ଅନେକ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ଦେଖାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଛି। ମ୍ୟୁକର୍ମାଇକୋସିସ୍‌ ବଢ଼ିବା ପଛରେ କରୋନା ଭୂତାଣୁ ଥିବା ବେଳେ ଷ୍ଟେରଏଡ୍‌କୁ ଦାୟୀ କରାଯାଇଛି। ଶନିବାର ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ମଧୁମେହ ରୋଗୀ, କରୋନା ଆକ୍ରାନ୍ତ  ଏବଂ ଷ୍ଟେରଏଡ୍‌ ନେଉଥିବା ଲୋକମାନଙ୍କ ଠାରେ ଫଙ୍ଗାଲ ସଂକ୍ରମଣ ଆଶଙ୍କା ବଢ଼ିଥାଏ ।

ଏହି ସମୟରେ ଷ୍ଟେରଏଡ୍‌ର ଦୂରୁପଯୋଗ ରୋକାଯିବା ଦରକାର। ଯଦି କରୋନା ସଂକ୍ରମିତ ରୋଗୀ ମଧୁମେହରେ ପୀଡ଼ିତ ଥାନ୍ତି ଏବଂ ଷ୍ଟେରଏଡ୍‌ ନେଉଥାନ୍ତି ତେବେ ତାଙ୍କ ଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ। ବ୍ଲାକ୍‌ ଫଙ୍ଗସ୍‌ ମୁଁହ, ଆଖି, ନାକ ଏବଂ ମସ୍ତିଷ୍କକୁ ପ୍ରଭାବିତ କରିପାରେ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି । ଏହି ରୋଗ ଫୁସଫୁସକୁ ଖରାପ କରିବା ସହ ରୋଗୀ ଅନ୍ଧ ମଧ୍ୟ ହୋଇପାରନ୍ତି। ଏମିତି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରୋଟୋକଲ୍‌ ମାନିବା ଜରୁରୀ ବୋଲି ସେ କହିଛନ୍ତି ।

ଏହା ଏକ ସେକେଣ୍ଡାରି ଇନଫେକ୍ସନ ଯାହାକି ଫଙ୍ଗାଲ ଏବଂ ବ୍ୟାକ୍ଟେରିଆଲ ହୋଇପାରେ । ଯାହାକି ମୃତ୍ୟୁର କାରଣ ହୋଇପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ କରୋନା ସଂକ୍ରମଣର ମୋଟ ମାମଲାର ୮୫ ପ୍ରତିଶତ କେବଳ ୧୦ ରାଜ୍ୟରୁ ମିଳିଛି । ୧୧ ରାଜ୍ୟରେ ଲକ୍ଷେ ଉପରେ ସକ୍ରିୟ ସଂକ୍ରମିତ ଥିବା ବେଳେ ୮ ରାଜ୍ୟରେ ୫୦ ହଜାରରୁ ଲକ୍ଷେ ମଧ୍ୟରେ ଆକ୍ଟିଭ୍‌ ମାମଲା ରହିଛି। ଏହା ସହ ୨୪ ରାଜ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ରହିଛି ବୋଲି ଜଣାପଡ଼ିଛି।

Spread the love