ପୁରୁଷ ଓ ମଧୁମେହ ରୋଗୀଙ୍କ ପ୍ରତି ‘ବ୍ଲାକ୍‌ ଫଙ୍ଗସ୍‌’ ବିପଦ ଅଧିକ

ନୂଆଦିଲ୍ଲୀ ୨୨/୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍ମିକୋସିସ୍‌ ମାମଲା ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। କଳା କବକ ସଂକ୍ରମଣ ନେଇ ଏବେ ସବୁଠି ଚର୍ଚ୍ଚା ଚାଲୁଥିବା ବେଳେ ଗବେଷକମାନେ ଗବେଷଣା ଆରମ୍ଭ କରିଛନ୍ତି । ବ୍ଲାକ ଫଙ୍ଗସ୍‌କୁ ନେଇ  ୪ ଭାରତୀୟଙ୍କ ଦ୍ବାରା ଖୁବଶୀଘ୍ର ପ୍ରକାଶିତ ହେବାକୁ ଯାଉଥିବା ରିପୋର୍ଟ ମୁତାବିକ ପୁରୁଷମାନେ ମ୍ୟୁକୋର୍ମିକୋସିସ୍‌ ଦ୍ବାରା ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

ଡାକ୍ତରଙ୍କ ଏହି ଗବେଷଣାର ନାଁ ‘କୋଭିଡ-୧୯ରେ ମ୍ୟୁକୋର୍ମିକୋସିସ୍‌: ଦୁନିଆ ଏବଂ ଭାରତରେ ରିପୋର୍ଟ କରାଯାଇଥିବା ମାମଲାର ଏକ ବ୍ୟବସ୍ଥିତ ସମୀକ୍ଷା ’ ରଖାଯାଇଛି । ଡାକ୍ତରମାନେ ମ୍ୟୁକୋର୍ମିକୋସିସ୍‌ରେ ଆକ୍ରାନ୍ତ ୧୦୧ ରୋଗୀଙ୍କୁ ନେଇ ଗବେଷଣା କରାଯାଇଛି। ଏଥିରୁ ୭୯ ଜଣ ପୁରୁଷ ଥିଲେ।  ତେବେ ମଧୁମେହ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ ସଂକ୍ରମଣ କରୁଛି। ଯେଉଁଥିରେ ୧୦୧ରୁ ୮୩ ଜଣ ମଧୁମେହରେ ପୀଡ଼ିତ ଥିଲେ। ଏହି ଗବେଷଣାଟି ଏଲ୍ସୋବିୟର ଜର୍ଣ୍ଣାଲରେ ପ୍ରକାଶ ପାଇବ। କୋଲକାତାର ଜିଡି ହସ୍ପିଟାଲ ଏବଂ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅବଧେଶ କୁମାର ସିଂହ ଏବଂ ଡାକ୍ତର ରିତୁ ସିଂହ, ମୁମ୍ବାଇ ଲୀଳାବତୀ ହସ୍ପିଟାଲର ଡାକ୍ତର ଶଶାଙ୍କ ଜୋଶୀ ଏବଂ ନୂଆଦିଲ୍ଲୀର ଜାତୀୟ ମଧୁମେହ, ମୋଟାପଣ ଏବଂ କଲେଷ୍ଟରଲ ଫଉଣ୍ଡେସନ୍‌ରୁ ଡାକ୍ତର ଅନୁପ ମିଶ୍ରା ମିଳିତ ଭାବେ ୧୦୧ ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲେ ।

ଯେଉଁମାନଙ୍କ ମଧ୍ୟରେ ୮୨ ଜଣ ଭାରତୀୟ ଥିବା ବେଳେ ୯ ଜଣ ଆମେରିକୀୟ ଏବଂ ୩ ଇରାନରୁ ଥିଲେ। ଅଧ୍ୟୟନରେ ୧୦୧ରୁ ୩୧ ଜଣଙ୍କ ମୃତ୍ୟୁ ଫଙ୍ଗାଲ ସଂକ୍ରମଣ ଯୋଗୁ ହୋଇଛି। ମ୍ୟୁକୋର୍ମିକୋସିସ୍‌ ସଂକ୍ରମିତ ୧୦୧ ଜଣଙ୍କ ମଧ୍ୟରୁ ୬୦ ଜଣଙ୍କ ଠାରେ ସକ୍ରିୟ କୋଭିଡ-୧୯ ସଂକ୍ରମଣ ଥିଲା ଏବଂ ୪୧ ଜଣ ସୁସ୍ଥ ହୋଇଥିଲେ। ଏହା ସହ ୧୦୧ ମଧ୍ୟରୁ ୮୩ଙ୍କୁ ମଧୁମେହ ଥିଲା। ଅନ୍ୟପଟେ ୩ ଜଣ କର୍କଟରେ ପୀଡ଼ିତ ଥିଲେ। ଅଧ୍ୟୟନ ବେଳେ ଜଣାପଡ଼ିଛି ଯେ, ମଧୁମେହ ଏବଂ କରୋନା ସଂକ୍ରମଣ ଥିବା ବ୍ୟକ୍ତିଙ୍କୁ ମ୍ୟୁକୋର୍ମିକୋସିସ୍‌ର ବିପଦ ଅଧିକ ରହିଛି।

ମ୍ୟୁକୋର୍ମିକୋସିସ୍‌ ନାକ, ସାଇନସ୍‌, ଫୁସଫୁସ,ଚର୍ମ, ହାଡ଼, ଗଣ୍ଠି, ହାର୍ଟକୁ ପ୍ରଭାବିତ କରିପାରେ। ପାଖାପାଖି ୮୯ ବ୍ୟକ୍ତିଙ୍କ ଠାରେ ନାକ ଏବଂ ସାଇନସରେ ଫଙ୍ଗାଲ୍‌ ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। କରୋନା ଭାଇରସ୍‌ ଶ୍ବସନ ତନ୍ତ୍ରକୁ ଅଧିକ ପ୍ରଭାବିତ କରୁଥିବାରୁ ଫଙ୍ଗାଲ ସଂକ୍ରମଣ ନାକ ଓ ସାଇନସକୁ ପ୍ରଭାବିତ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି। ଫଙ୍ଗାଲ ସଂକ୍ରମଣ ବ୍ୟାପିବାର ଗତି ୧୦ ଲକ୍ଷ ଜନସଂଖ୍ୟାରେ ବିଶ୍ବରେ ୦.୦୦୫ରୁ ୧.୭ ପ୍ରତିଶତ ଥିବା ବେଳେ ଭାରତରେ ଅଧିକ ମଧୁମେହ ରୋଗୀ ଥିବାରୁ ଏହି ବିପଦ ୮୦ ଗୁଣ ବଢ଼ିଛି ବୋଲି ଡାକ୍ତରମାନେ ଦାବି କରିଛନ୍ତି।

Spread the love