ପଥର ବ୍ଲାଷ୍ଟିଂରୁ ଗଲା ଶ୍ରମିକଙ୍କ ଜୀବନ, ଦୁଇ ଆହତ

ରାଉରକେଲା: ଲାଠିକଟା ବ୍ଲକ ଅନ୍ତର୍ଗତ ଗୋଟିଧର ମାଇନ୍ସରେ ବେଆଇନ ବ୍ଲାଷ୍ଟିଂରୁ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ହେଲେ ବଲଣ୍ଡା ଚୁଟିଆଟୋଲାର ସୁରଜ ବାର୍ଲା (୨୦)। ବ୍ଲାଷ୍ଟିଂ ପରେ ଏକ ବଡ ପଥରଖଣ୍ଡ ତଳେ ସୁରଜ ଚାପି ହୋଇ ରହିଯାଇଥିଲେ। କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ପଥର ବାହାର ସୁରଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେମିତି ପଥର ମାଡ଼ରେ ଅନ୍ୟ ଦୁଇ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏଭଳି ଅଘଟଣ ଘଟିଲା। ମାଇନ୍ସ ମାଲିକ ପ୍ରେମ ସାହୁ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଶ୍ରମକମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ଗୋଟିଧର ମାଇନ୍ସ ନଂ ୪କୁ ପ୍ରେମ୍‌ ସାହୁ ଲିଜ୍ ନେଇଛନ୍ତି। ଦୈନିକ ମାଇନ୍ସରେ ବ୍ଲାଷ୍ଟିଂ କରାଯାଇ ପଥର ଖଣ୍ଡକୁ କ୍ରସର ୟୁନିଟ୍‌କୁ ଅଣାଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରାତିରେ ପଥର ବ୍ଲାଷ୍ଟିଂ କରିବାର ସରକାର ନିୟମ ରହିଛି। ହେଲେ ପ୍ରେମ ସାହୁ ସରକାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଅଧିକାଂଶ ସମୟରେ ଦିନରେ ବ୍ଲାଷ୍ଟିଂ କରିବାକୁ କାର୍ଯ୍ୟରତ ଶ୍ରମିକମାନଙ୍କୁ କହିଥିଲେ। ଆଜି ସୁରଜ ଓ ତାଙ୍କର କିଛି ସହଯୋଗୀ ଶ୍ରମିକ ପଥର ବ୍ଲାଷ୍ଟିଂ କରୁଥିଲେ। ହଠାତ୍‌ ବଡ଼ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ବାଜିଥିଲା। ସୁରଜ ତଳେ ପଡ଼ିଯିବାରୁ ପଥଖଣ୍ଡ ତାଙ୍କ ଉପରେ ରହିଯାଇଥିଲା। ଅନ୍ୟ ଦୁଇ ଶ୍ରମିକ ମଧ୍ୟ ପଥରଖଣ୍ଡ ମାଡ଼ରେ ଆହତ ହୋଇଥିଲେ। ଗୋଟିଧରରେ କେବଳ ଗୋଟିଏ ମାଇନ୍ସ ନୁହେଁ ଅନ୍ୟ କିଛି ମାଇନ୍ସରେ ମଧ୍ୟ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଦିନ ଦ୍ବିପ୍ରହରରେ ବ୍ଲାଷ୍ଟିଂ କରାଯାଉଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏଭଳି ବେଆଇନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ, ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

Spread the love