ପାକିସ୍ତାନର କ୍ବେଟାରେ ବୋମା ବିସ୍ଫୋରଣ, ୪ ପୁଲିସ କର୍ମୀ ନିହତ

କରାଚି : ବୋମା ବିସ୍ଫୋରଣରେ ପୁଣି ରକ୍ତରଂଜିତ ହୋଇଛି ପାକିସ୍ତାନ । ଦକ୍ଷିଣ-ପଶ୍ଚିମ ପାକିସ୍ତାନର କ୍ବେଟା ସହରରେ ଏକ ପୁଲିସ ଗଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ବୋମା ବିସ୍ଫୋରଣରେ ୪ ପୁଲିସ କର୍ମୀ ନିହତ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାଯାଇଛି । ଆହତ ମାନଙ୍କୁ ସିଭିଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ପାକିସ୍ତାନୀ ଗଣମାଧ୍ୟମ ‘ଡନ’ର ସୂଚନା ଅନୁସାରେ କ୍ବେଟାର ଶାହରା-ଇ-ଇକବାଲ ଅଂଚଳର କାନ୍ଦାହରି ବଜାରରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଏକ ମୋଟରସାଇକେଲରେ ବୋମା ଖଞ୍ଜାଯାଇଥିଲା । ପୁଲିସ ଗାଡ଼ି ସେହିବାଟଦେଇ ଗଲା ବେ​ଳେ ବିସ୍ଫୋରଣ ହୋଇଥିଲା ।

ଉକ୍ତ ମୋଟରସାଇକେଲରେ ୨ରୁ ୩ କିଲୋ ବିସ୍ଫୋରକ ରଖାଯାଇଥିଲା । ଏହି ବିସ୍ଫୋରଣରେ ପୁଲିସ ଗାଡ଼ି ସମେତ ଆଖପାଖରେ ଥିବା ଆଉ ଏକ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି ।

ଏହି ଘଟଣା ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ବେଲୋଚିସ୍ତାନ ବିଦ୍ରୋହୀମାନେ ଥିବା ସଂଦେହ କରାଯାଉଛି । ଏହାର ଦିନକ ପୂର୍ବରୁ କୁଚଲକ ଜିଲ୍ଲାରେ ହୋଇଥିବା ଏକ ଆକ୍ରମଣରେ ୨ ପୁଲିସ କର୍ମୀ ନିହତ ହୋଇଥିଲେ ।

Spread the love