ମେ ୧୫ରେ ପୂଣ୍ଣ ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ଼ ମୁନ

ନୂଆଦିଲ୍ଲୀ : ଆଗାମୀ ମେ ୧୫ ବୈଶାଖ ପୂର୍ଣ୍ଣିମା ରାତିରେ ଆକାଶରେ ରକ୍ତ ଚନ୍ଦ୍ର ବା (ବ୍ଲଡମୁନ) ଦେଖାଯିବ। ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀଙ୍କ ମହାଜାଗତିକ ଅବସ୍ଥିତି ଯୋଗୁ ନୈଶ ଆକାଶରେ ଗ୍ରହଣ ମଧ୍ୟ ଲାଗିବ। ତେବେ ଗ୍ରହଣ ପରେ ପ୍ରତିଭାତ ହେଉଥିବା ଚନ୍ଦ୍ରଙ୍କ ରଙ୍ଗ ଲାଲ ହେବ। ଏଣୁ ଏହାକୁ ବ୍ଲଡମୁନ ନାଇଟ୍ ବୋଲି କୁହାଯାଇଛି।ଏପରି କଣ ହୁଏ ଯେଉଁଥିଲାଗି ଚନ୍ଦ୍ରମା ଲାଲ ରଙ୍ଗ ଧାରଣ କରନ୍ତି। ତେବେ ଆସନ୍ତୁ ଜାଣିବା ବ୍ଲଡ ମୁନ କେବେ ଦେଖାଯାଏ ଓ କାହିଁକି ଦେଖାଯାଏ ?କେମିତି ହୁଏ ଚନ୍ଦ୍ରଗ୍ରହଣ?
ଏହା ଆମେ ସମସ୍ତେ ଜାଣେ ଯେ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଝିକୁ ପୃଥିବୀ ଚାଲିଆସେ ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ ଅର୍ଥାତ ମେ ୧୫ ତାରିଖରେ ଯେଉଁ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି ତାହା ପୃଥିବୀ କାରଣରୁ ହେବ। ଏହି ଘଟଣାରେ ଚନ୍ଦ୍ରଙ୍କ ଦେହରେ ପୃଥିବୀର ଛାଇ ପଡିବ। ରାତିରେ ଚନ୍ଦ୍ର ଉପରେ ପଡୁଥିବା ସୂର୍ଯ୍ୟଙ୍କ ରଶ୍ମୀ ପୃଥିବୀ ଯୋଗୁ ଢାଙ୍କି ହୋଇଯିବ। ଏହି ଚନ୍ଦ୍ରଗ୍ରହଣ ବିଶ୍ୱର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ।ଏଥର ମେ ୧୫ରେ ସଂଘଠିତ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ରାତି ୧୦ଟା ବାଜି ୨୮ ମିନିଟ୍ (ଇଡିଟି) ରେ ଆରମ୍ଭ ହେବ। ଏହି ଗ୍ରହଣ ୧୬ ମେ ଗୋଟାଏ ବାଜି ୫୫ ମିନିଟ(ଇଡିଟି) ପର୍ଯ୍ୟନ୍ତ ରହିବ। ତେବେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସମ୍ପୂର୍ଣ୍ଣ ଦକ୍ଷିଣ ଆମେରିକା, ଉତ୍ତର ଆମେରିକାର ପୂର୍ବାଞ୍ଚଳ, ଇୟୁରୋପ ଓ ଆଫ୍ରିକାର କିଛି ଅଞ୍ଚଳରେ ମଧ୍ୟ ଦେଖା ଯିବ। ନାସାଙ୍କ ଅନୁସାରେ ଆଗାମୀ ପୂର୍ଣ୍ଣିମାରେ ଚନ୍ଦ୍ରର ଆକାର ହାରାହାରି ଆକାରଠାରୁ ୭ ପ୍ରତିଶତ ବଡ଼ ଦେଖାଯିବ।

ଲାଲଚନ୍ଦ୍ର ବା ବ୍ଲଡମୁନ କାହିଁକି ଦେଖାଯାଏ ?
ନ୍ୟାସନାଲ ଏରୋନଟିକ୍ସ ଏଣ୍ଡ ସ୍ପେସ୍ ଆଡମିନେଷ୍ଟ୍ରେସନ (ନାସା)ଙ୍କ ଅନୁସାରେ ଚନ୍ଦ୍ରଙ୍କ ରଙ୍ଗ ସେତେବେଳେ ଲାଲ ହୁଏ ଯେତେବେଳେ ଚନ୍ଦ୍ରଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିବା ସୂର୍ଯ୍ୟଙ୍କ କିରଣ ପୃଥିବୀର କଡ ଦେଇ ଚନ୍ଦ୍ରଙ୍କ ଦେହରେ ପଡେ। ଏଥିରେ ଯେଉଁ ନିଳ ଆଲୋକ ପଡେ ଏହାର ୱେଭ ଲେନ୍ଥ କମ୍ ହୋଇଥାଏ। ଏଣୁ ଏହା ବାତାବରଣରେ ଖେଳେଇ ହୋଇଯାଇଥାଏ। ହେଲେ ଏଥିରେ ଲାଲ ରଙ୍ଗର ୱେଭ ଲେନ୍ଥ ଅଧିକ ଥିବାରୁ ତାହା ଚନ୍ଦ୍ରଙ୍କ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏମିତିରେ ଚନ୍ଦ୍ର ପୃଥିବୀର ଗାଢ କଳା ଛାଇରେ ଢାଙ୍କି ହୋଇ ରହିଥିବା ବେଳେ କେବଳ ଲାଲ ରଙ୍ଗ ଚନ୍ଦ୍ରଙ୍କ ଦେହରେ ପଡେ। ଏଣୁ ଚନ୍ଦ୍ର ଲାଲ ଦେଖାଯାଏ,ଏହାକୁ ରକ୍ତ ଚନ୍ଦ୍ର ବା ବ୍ଲଡ ମୁନ କୁହାଯାଏ।

Spread the love