ଭୁବନେଶ୍ୱର ମହାନଗରରେ ବିଦ୍ୟୁତ ସେବା ଅଧିକ ସୁଦୃଢ଼ ହେବ: ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର : ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଖାରବେଳ ଭବନଠାରେ ଭୁବନେଶ୍ୱରର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତି ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ
ହୋଇଥିଲା । ଏହି ବୈଠକରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଟି.ପି.ସି.ଓ.ଡି.ଏଲ୍ ତଥା ଓ.ପିଟି.ସିଏଲ୍ର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଟି.ପି.ସି.ଓ.ଡି.ଏଲ୍ ଅଧିକାରୀଙ୍କ ଦ୍ୱାରା ଭୁବନେଶ୍ୱର ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ବର୍ତ୍ତମାନ ସ୍ଥିତି
ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରାଯାଇଥିଲା । ଶକ୍ତି ମନ୍ତ୍ରୀ ଆଇ.ପି.ଡି.ଏସ୍ କାର୍ଯ୍ୟରେ ହେଉଥିବା ବିଳମ୍ବ ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ଏହି କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ଓ.ପି.ଟି.ସି.ଏଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଭୂତଳ କେବୁଲ ବିଛା ଯାଉଥିବାବେଳେ ସେଥିରେ ବାଲି ପୋତା ଯାଉ ନଥିବା ଯୋଗୁଁ ଲୋକଙ୍କ ସୁରକ୍ଷା ବ୍ୟାହତ ହେଉଥିବା ବିଷୟ ବୈଠକରେ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟରେ ନିୟୋଜିତ ସଂପୃକ୍ତ ସଂସ୍ଥା ଆବଶ୍ୟକ ନିର୍ଦ୍ଦେଶାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଓ.ପି.ଟି.ସି.ଏଲ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ବୈଠକରେ ସହରର ବିଭିନ୍ନ ସ୍ଥାନରେ ଥିବା ଟ୍ରାନ୍ସଫରମର୍ ଚାରିପଟେ ନୂଆ ପାଚେରୀ ନିର୍ମାଣ କରି ତଥା କେତେକ ସ୍ଥାନରେ ଥିବା ଭଙ୍ଗା ପାଚେରୀର ଉପଯୁକ୍ତ ମରାମତି ଯଥାଶୀଘ୍ର କରି ଜନ ଜୀବନ ତ ଥା ଜୀବଜନ୍ତୁଙ୍କସୁରକ୍ଷା ସୁନିଶ୍ଚିତ କରିବାକୁ ଟି.ପି.ସି.ଓ.ଡି.ଏଲ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉପଭୋକ୍ତାମାନଙ୍କୁ ଉନ୍ନତ ମାନର ବିଦ୍ୟୁତ ଯୋଗାଣ ପାଇଁ ଭୁବନେଶ୍ୱର (ଏକାମ୍ର) ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗି ଓ ଇଟିପୁର ତଥା ଭୁବନେଶ୍ୱର (ଉତ୍ତର) ଅନ୍ତର୍ଗତ ଶ୍ରୀବିହାରଠାରେ ମୋଟ ତିନିଗୋଟି ନୂତନ ୩୩/୧୧ କେଭି ସବ୍ଷ୍ଟେସନ୍ ନିର୍ମାଣ
କରିବାକୁ ବୈଠକରେ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା । ବୈଠକ ଶେଷରେ ମନ୍ତ୍ରୀ ବିଗତ ଅମ୍ଫନ ସାମୁଦ୍ରିକ ବାତ୍ୟାଜନିତ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିର ତ୍ୱରିତ ପୁନରୁଦ୍ଧାର କରିଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗର ଭୂୟସୀ ପ୍ରଶଂସା
କରିଥିବା ବିଷୟ ଉଲ୍ଲେଖ କରିବା ସହ ବିଭିନ୍ନ ଯୋଜନାରେ ବାକିଥିବା ସମସ୍ତ କାର୍ଯ୍ୟ ଯୋଜନାକୁ ଅନୁରୂପ ଉତ୍ସାହର ସହ ସଂପନ୍ନ କରିବାକୁ ଆହ୍ୱାନ ଦେଇଥିଲେ ।