ଟେକା ମାଡ଼ ସତ୍ତ୍ବେ ଉଚ୍ଛେଦ କଲା ବିଡିଏ; ଏନ୍‌ଫୋର୍ସମେଣ୍ଟ ଟିମ୍‌-ଜବରଦଖଲକାରୀ ମୁହାଁମୁହିଁ

ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ। ପୂରା ୪ଏକର ଜମି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ମାଡ଼ି ବସିଥିଲେ ଚନ୍ଦ୍ରଶେଖରପୁରରେ ଏହି ମୂଲ୍ୟବାନ ଜମିକୁ ଜବରଦଖଲମୁକ୍ତ କରିବାକୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍ ପହଞ୍ଚିଥିଲେ। ତେବେ ସେଠାରେ ଉଚ୍ଛେଦ କଲାବେଳେ ଟେକା ମାଡ଼ ବି ଖାଇଲେ ଏନଫୋର୍ସମେଣ୍ଟ ଟିମ୍‌ ଘରଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ପ୍ରବଳ ବିରୋଧ ସତ୍ତ୍ବେ ବିଡିଏ ଉଚ୍ଛେଦ କରିବା ସହ ୪ଏକର ଜମିକୁ ଜବରଦଖଲମୁକ୍ତ କରିଛି
ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ସାଧାରଣ ପ୍ରଶାସନ (ଜିଏ)ର ପ୍ଲଟ ନଂ-୪୫୯/୧୬୫୩, ୫୫୮/୧୯୮୮, ୫୫୮/୧୯୮୯, ୫୫୫, ୫୫୬, ୫୫୭, ୪୬୨, ୫୫୮, ୫୭୧, ୫୭୨, ୫୭୩, ୫୭୪, ୫୭୫, ୫୭୬, ୫୭୩/୧୯୫୧ରେ ଗଢି ଉଠିଥିଲା ଘର ଜିଏର ଭୂସମ୍ପତ୍ତି ଯୁଗ୍ମ କମିସନର ତଥା ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ କରାଯାଇଛି।

ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପୂର୍ବାହ୍ନରେ ଚନ୍ଦ୍ରଶେଖପୁରରେ ଉଚ୍ଛେଦ ପାଇଁ ପହଞ୍ଚି ଥିଲା। ସେଠାରେ ଜବରଦଖଲକାରୀମାନେ ଏନଫୋର୍ସମେଣ୍ଟ ଟିମ୍‌କୁ ପ୍ରବଳ ବିରୋଧ କରିଥିଲେ। ଏପରିକି ଏନଫୋର୍ସମେଣ୍ଟ ଟିମ୍ ଓ ଜବରଦଖଲକାରୀ ମୁହାଁମୁହିଁ ହୋଇଥିଲେ। ଜବରଦଖଲକାରୀମାନେ ବିଡିଏ ଏସ୍କାଭେଟରକୁ ଟେକା ପକାଇବାକୁ ପଛାଇନଥିଲେ। ଟେକା ମାଡ଼ରେ ଏସ୍କାଭେଟର କାଚ ଭାଙ୍ଗିଯାଇଥିବା ବିଡିଏ ଅଧିକାରୀ କହିଛନ୍ତି। ପୁଲିସର ହସ୍ତକ୍ଷେପ ପରେ ଉକ୍ତ ପ୍ଲଟ ଗୁଡିକରେ ହୋଇଥିବା ବେଆଇନ ଘର ଗୁଡିକୁ ମାଟିରେ ମିଶାଇ ଦେଇଥିଲା ବିଡିଏ।

ଏହି ଉଚ୍ଛେଦରେ ୨ଟି ଛାତ ଘର, ୧୨ଟି ଆଜବେଷ୍ଟସ ଘର, ୪ଟି ଶୌଚାଳୟ, ୨ଟି ଦୋକାନ ଓ ୧୦୦୦ପୁଟ ଲମ୍ବର ପାଚେରୀ ଭଙ୍ଗାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ସେକ୍ସନ ରିଜର୍ଭ ପୁଲିସ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଯୁଗ୍ମ କମିସନର(ଏନଫୋର୍ସମେଣ୍ଟ) ରଞ୍ଜନ କୁମାର ଜେନା, ବିଡିଏ ଲ୍ୟାଣ୍ଡ  ଅଫିସର ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡିଏ ଏନଫୋର୍ସମେଣ୍ଟ (ଓଏସ୍‌ଡି) ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love