ଭୁବନେଶ୍ୱରରେ ସକ୍ରିୟ ହୋଇଛି ବିଏମସିର ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱରରେ ସକ୍ରିୟ ହୋଇଛି ବିଏମସିର ସ୍ୱାସ୍ଥ୍ୟ ବିଭାଗ, ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭିଲାନ୍ସ ୟୁନିଟ୍ । ବିଏମସି ଆୟୁକ୍ତ ଶ୍ରୀ. ଚଞ୍ଚଲ୍ ରାଣା, ଅତିରିକ୍ତ ଆୟୁକ୍ତ କୈଳାସ ଚନ୍ଦ୍ର ଦାସ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ତଥା ୟୁଏମଏସୟୁର ନୋଡାଲ ଅଫିସର ଡା.ପ୍ରମିଳା ବରାଳଙ୍କ ତତ୍ତ୍ୱାବଧାନରେ ଏହି ବିଭାଗ ବିଏମସି ଅଞ୍ଚଳରେ ସର୍ବେକ୍ଷଣ ଜାରି ରଖିଛି । ଘରଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାନୁଷ୍ଠାନରେ ସବୁଠି ଚାଲିଛି ସର୍ବେକ୍ଷଣ ଓ ତା ସାଙ୍ଗକୁ ଦୈନିକ ସଚେତନତା କାର୍ଯ୍ୟକ୍ରମ । ଜଳବାହିତ ରୋଗର ପ୍ରତିକାର ପାଇଁ ପ୍ରତ୍ୟେକ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ଲ୍ୟାବ୍ରେ ପରୀକ୍ଷଣ କରାଯାଉଛି ଓ ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଉଛି, ଏବଂ ସମସ୍ୟାର ସମାଧାନ କରାଯାଉଛି । ଏହା ସାଙ୍ଗକୁ ଘରକୁ ଘର ବୁଲି ମଶା ଡିମ୍ବ ଦେଇଥିବା ସ୍ଥାନକୁ ନଷ୍ଟ କରାଯାଉଛି । ଆଜି ନଳିନୀ ଦେବୀ ବି.ଇଡି ଏବଂ ଏମ୍.ଇଡି କଲେଜରେ ଜଳବାହିତ ରୋଗ,ଭେକ୍ଟର ବାହିତ ରୋଗ, ଅପମିଶ୍ରିତ ଖାଦ୍ୟର ନିରୀକ୍ଷଣ ଓ ନିରାକରଣ, କୁକୁର କାମୁଡ଼ା, ସାପ କାମୁଡ଼ା, ମେଦ ବହୁଳତା,କର୍କଟ,ମଧୁମେହ ଓ ତା ସାଙ୍ଗକୁ ଜଳ ପରୀକ୍ଷଣ କରିବାର ପ୍ରଣାଳୀ ମଧ୍ୟ ଶିଖାଇଛି ଏହି ସ୍ୱାସ୍ଥ୍ୟ ବିଭାଗ। ଦୈନିକ ଏହି ବିଭାଗ ବିଏମସି ହେଲ୍ଥ ଅଫିସ୍, ଏଡିୟୁପିଏଚଓ ଟିମ୍, ଫାଇଲେରିଆ ଇନ୍ସପେକ୍ଟର୍ସ, ସୁପରଭାଇଜର୍ସ, ଡେଙ୍ଗୁ ଓ୍ୱାର୍କର୍ସଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଜାରି ରଖିଛି ।
