କେବେ ସୁଧୁରିବ ବିଏମ୍‌ସି ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବର: ଦେଶର ଅନ୍ୟତମ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବରରେ  ପାର୍କିଂ ବ୍ୟବସ୍ଥାରେ ସୁଧାର ଆସିପାରିଲାନାହିଁ। ବିନା ଟିକେଟ୍‌ରେ ପାର୍କିଂ ଫି’ ଆଦାୟ ବି ହେଉଛି। ବିଏମ୍‌ସିର ପାର୍କିଂ ବ୍ୟବସ୍ଥାରେ ଥିବା ଏଭଳି ଅବ୍ୟବସ୍ଥାକୁ ନେଇ ଏମିତି ବହୁ ଅଭିଯୋଗ ରହିଛି। ଅଭିଯୋଗ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏହି ଦିଗ ପ୍ରତି ଜାଣିଶୁଣି ନଜର ଦେଉନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଅଭିଯୋଗ ଅନୁସାରେ ଏବେ ରାଜଧାନୀରେ ଗଢ଼ିଉଠିଛି ବହୁ ନୋ ପାର୍କିଂ ଜୋନ୍‌। ସେଠା‌ରେ ବିନା ଟିକେଟ୍‌ରେ ଆଦାୟ କରାଯାଉଛି ପାର୍କିଂ ଫି। ଟିକେଟ୍ ମାଗିଲେ ରୋକ୍‌ଠୋକ ମନାକରାଯାଉଛି ଏହା ଏକପ୍ରକାର ଜୋର୍‌ ଜବରଦସ୍ତିଆ ନିୟମ। କିଏ ଏହି ଆଦାୟକାରୀ ବୁଝିବା କଷ୍ଟ। ଏମାନଙ୍କୁ କିଏ ଅନୁମତି ଦେଇଛି,ତାହା ବି ଜଣା ନାହିଁ। ଖୋଲାଖୋଲି ଏଭଳି ବେଆଇନ ପାର୍କିଂ ଫି’ ଆଦାୟ ହେଉଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ଅଭିଯୋଗ ନାହିଁ ବୋଲି ସଫେଇ ଦେଇ ଚୁପ୍‌ ବସୁଥିବା ଅଭିଯୋଗ ହେଉଛି। ନିୟମାନୁସାରେ ବିଏମ୍‌ସି ପକ୍ଷରୁ ଯେଉଁଠି ଗାଡ଼ି ପାର୍କିଂ କରିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି, ସେଠାରେ ଟେଣ୍ଡରଧାରୀ ସଂସ୍ଥାର ନାଁ, ଫି’ ଚାର୍ଜ ଦର ଓ ପାର୍କିଂ ଏରିଆର ପରିଧି ବାବଦରେ ସମସ୍ତ ତଥ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା କଥା। ଉଭୟ ଟିକେଟ୍‌ ଓ ପାର୍କିଂ ବୋର୍ଡରେ ଏସବୁ ତଥ୍ୟ ଉଲ୍ଲେଖ ରହିବା ନିୟମ। ସେହିଭଳି ଯେଉଁ ସ୍ଥାନରେ ପାର୍କିଂ କରିବାକୁ ବାରଣ କରାଯାଇଛି, ସେଠାରେ ନୋ ପାର୍କିଂ ଜୋନ୍‌ ବୋର୍ଡ ଲଗାଯିବା ବିଧି ରହିଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହି ସବୁ ନିୟମ କେବଳ କାଗଜପତ୍ରରେ ରହିଛି। ପାର୍କିଂ ସ୍ଥଳୀ‌ରେ ବୋର୍ଡ ଲଗାଯାଉନାହିଁ।ଟିକେଟ୍‌ରେ ବି ସବୁ ତଥ୍ୟ ରହୁନାହିଁ। ଚାରିଚକିଆ ଗାଡ଼ି ପାର୍କିଂ ସ୍ଥାନରେ ଦୁଇ ଚକିଆ ଗାଡ଼ି ରଖି ଫି’ ଆଦାୟ କରାଯାଉଛି। ମାର୍କେଟ୍ ବିଲ୍ଡିଂ ପାଖରେ କେବଳ ୪ଚକିଆ ଯାନ ପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇଥିବା ବେଳେ ସେଠାରେ ଅବାଧରେ ୨ଚକିଆ ଯାନ ପାର୍କିଂ କରାଉଛନ୍ତି। ଫୁଟ୍‌ପାଥ ଭଳି ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖାଇ ଫି’ ଆଦାୟ କରାଯାଉଛି। ଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ଉତ୍କଟ ହେଉଛି। ସେହିପରି ମହିଳା ଥାନା, ଇଣ୍ଡିଆନ୍ ପେଟ୍ରୋଲ୍ ପମ୍ପ ପାଖରେ କମିସନରେଟ୍ ପୁଲିସ ପକ୍ଷରୁ ନୋ ପାର୍କିଂ ଜୋନ୍ ସାଇନ୍ ବୋର୍ଡ ଲଗା ଯାଇଥିବା ସତ୍ତ୍ବେ ସେଠାରେ ଗାଡ଼ି ପାର୍କିଂ କରାଇ ଫି’ ଆଦାୟ କରାଯାଉଛି।ବଡ଼ ସମସ୍ୟା ହେଉଛି କିଛି ସ୍ଥାନରେ ଧାର୍ଯ୍ୟ ଦର ଠାରୁ ପାର୍କିଂ ଫି’ ବାବଦରେ ଅଧିକ ଟଙ୍କା ଆଦାୟ କରାଯାଉଛି। ବିଶେଷକରି ପୂଜାପର୍ବାଣୀ ସମୟରେ ଭିଡ଼କୁ ଦେଖି ଟିକେଟ୍‌ ଦର ବଢ଼ାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ନିକଟରେ ରାମନବମୀ ଦିନ ୟୁନିଟ-୩ ସ୍ଥିତ ରାମମନ୍ଦିର ଠାରେ ବାଇକ୍‌ ପିଛା ୧୦ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। ୫ଟଙ୍କା ଫି’ ବଦଳରେ ୧୦ ଟଙ୍କା ଆଦାୟ କରାଯାଉଥିଲା।

Spread the love