ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯିବ: ‌ସାମ୍ଭାବ୍ୟ ବାତ୍ୟାକୁ ନେଇ କହିଲେ ମେୟର ସୁଲୋଚନା ଦାସ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳଯୋଗାଣ ବିଭାଗ ସମେତ ବିଏମ୍ସିର ଉଚ୍ଚ ପଦାଧିକାରୀ।

ସମ୍ଭାବ୍ୟ ବାତ୍ୟାକୁ ନେଇ ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ମେୟର ସୁଲୋଚନା ଦାସ ତ‌ାଙ୍କର ମତ ରଖି କହିଛନ୍ତି, ‘ବିଏମ୍‌ସିର ସମସ୍ତ ଟିମ୍ ପ୍ରସ୍ତୁତ ରହିଛନ୍ତି। ଆଗରୁ ମଧ୍ୟ ଅନେକ ବାତ୍ୟାକୁ ସାମ୍ନା କରିଛି ରାଜଧାନୀ। ସଜାଗ ଅଛନ୍ତି ସମସ୍ତ ଅଧିକାରୀ। ଆଜି ବୈଠକ ପରେ ନିଷ୍ପତ୍ତି ନିଆଯିବ। ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯିବ।’

ଉଲ୍ଲେଖଯୋଗ୍ୟ, ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ   ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍‌ ଆକଳନ କରିଛନ୍ତି। ମଡେଲ୍‌ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ‌୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ। ତେବେ ସମ୍ଭାବ୍ୟ ବାତ୍ୟା ନେଇ ୱିଣ୍ଡିର ମଡେ଼ଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ୍ ଦେଇନାହାନ୍ତି।

Spread the love