ବିଏମସିର ବାର୍ଷିକ ବଜେଟ ବୈଠକରେ ହଙ୍ଗାମା

ଅବସର ଥିଲା ବିଏମସିର ବାର୍ଷିକ ବଜେଟ ବୈଠକ । ବିଏମସିର ନୂଆ କାର୍ଯ୍ୟାଳୟରେ ଚାଲିଥିଲା ଚର୍ଚ୍ଚା । ଏହି ଚର୍ଚ୍ଚା ଆଲୋଚନା ଭିତରେ ବୋଧେ ଶାଳିନତା ଭୁଲି ଯାଇଥିଲେ ନିର୍ବାଚିତ କର୍ପୋରେଟର୍ । ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି । ମେୟର ବାରମ୍ବାର ତାଗିତ ସତ୍ୱେ କେହି କାହାରିକୁ ଖାତିର୍ ନକରି ଗାଳି ଗୁଲଜ ଜାରି ରଖିଥିଲେ ।ଏପଟେ ବୈଠକରେ ବିରୋଧୀ ଦଳର କର୍ପୋରେଟରଙ୍କ କଥା ଶୁଣାଯାଉଥିବା ଅଭିଯୋଗ ଆଣି, ବୈଠକକୁ ବର୍ଜନ କରିଥିଲେ ବିଜେପି କର୍ପୋରେଟର୍ । ଆଉ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଶାସକ ବିଜେଡି ଦଳର ହୋହଲ୍ଲା ଏବଂ ବିରୋଧୀ ବିଜେପି କର୍ପୋରେଟରଙ୍କ ପ୍ରତିବାଦ ଭିତରେ ପାରିତ ହୋଇଛି ଭୁବନେଶ୍ୱର ମହାନଗର ନିଗମ ବଜେଟ ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମସିର ବଜେଟ ରହିଛି ୬୯୦ କୋଟି ୨ ଲକ୍ଷ ଟଙ୍କା । ବିଏମସିର ଆୟ ରହିଛି ୭୦୮ କୋଟି ୫୪ ଲକ୍ଷ । ତେଣୁ ଏହାକୁ ଏକ ବଳକା ବଜେଟ କୁହାଯାଉଛି । ବଜେଟରେ ବିଏମସିରେ ସାମିଲ ହୋଇଥିବା ନୂଆ ପଂଚାୟତର ଉନ୍ନତିମୂଳକ କାମ, ପ୍ରତି ୱାର୍ଡରେ କାର୍ଯ୍ୟାଳୟ, ଏକ ନମ୍ବର ହାଟକୁ ହେରିଟେଜ୍ ମାର୍କେଟ୍, ଭେଣ୍ଡିଂ ଜୋନର ବିକାଶ, ସହରର ପରିମଳ ଏବଂ ସୌଜର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଇଛି । ଏସବୁ ଭିତରେ ଭୁବନେଶ୍ୱର ମହାନଗର ଅଂଚଳର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ଖସଡ଼ା ।

Spread the love