ଜେଟିକୁ ଫେରୁଛି ବୋଟ୍‌

ବାଲେଶ୍ୱର   :  ବନ୍ୟା ହେଉ କି ବାତ୍ୟା, ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସବୁବେଳେ ପ୍ରସ୍ତୁତ ରହିଥାନ୍ତି।   ବାତ୍ୟା କେଉଁ ଜାଗାରେ ଲ୍ୟାଣ୍ଡଫଲ୍‌ କରିବ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଆସିଲେ ସମସ୍ତଙ୍କୁ ସତର୍କ କରାଇ ଦିଆଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରକାଶ କରିଛନ୍ତି।ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ୨୩ ତାରିଖ ସକାଳ ପରେ ହାଲୁକା ବର୍ଷା ହୋଇପାରେ। ପୁରୀରୁ ବାଲେଶ୍ୱର ଯାଏ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ। କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ। ସ୍ଥଳଭାଗ ଛୁଇଁବା ବେଳକୁ ଅବପାତ ପ୍ରଭାବରେ ୨୨ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୨୩ ତାରିଖରୁ ଓଡ଼ିଶା ଉପକୂଳର ଆଖପାଖ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ପରେ ଏବେ ସମସ୍ତ ବୋଟ ଉପକୂଳମୁହାଁ ହୋଇଛି। ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ସମୁଦ୍ର ଅଶାନ୍ତ ରହୁଥିବାରୁ ଏବେ ଜେଟି ମୁହାଁ ହେଉଛନ୍ତି। ଗତକାଲିି ବାଲେଶ୍ୱର ବଳରାମଗଡ଼ି ମାଛଧରା ବନ୍ଦରକୁ କ୍ରମଶଃ କିଛି ବୋଟ ସମୁଦ୍ର ଅଶାନ୍ତ ଯୋଗୁ ମାଛ ମାରି ଫେରିଥିବା ବେଳେ ଆଜି ସମସ୍ତ ବୋଟ କୂଳରେ ଲାଗିବ ବୋଲି ଆଶା କରାଯାଉଛି।

Spread the love