ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ।ଅଫଲାଇନ ଓ ଅନଲାଇନ ମାଧ୍ୟମରେ ବୁଷ୍ଟର ଡୋଜ୍‌ ଦିଆଯିବା ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳର ପଞ୍ଚାୟତୱାରୀ ଏବଂ ସହରାଞ୍ଚଳର ୱାର୍ଡୱାରୀରେ ଟିକାକରଣ କରିବାକୁ ଗୁରୁତ୍ବ ଦିଆଯାଇଛି। ସହରାଞ୍ଚଳଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଏବଂ ଠିକ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି ।ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ କରୋନା ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଏ ବିଷୟରେ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ କରୋନା ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାୱାରୀ ସ୍ଥିତି ସମୀକ୍ଷା କରି ମୁଖ୍ୟସଚିବ ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରାଯିବ, ଦୈନିକ କରୋନା ପରୀକ୍ଷା ବଢ଼ାଇବା ସହ ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ଏବଂ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦେଶ ଦେଇଛନ୍ତି। ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଟିକାକରଣ ସହ ସହରାଞ୍ଚଳରେ ୧୮ରୁ ୫୯ ବର୍ଷ ବ୍ୟକ୍ତିଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି।  ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାକୁ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ୱାର୍ଡ ବ୍ୟବସ୍ଥା କରାଯାଇଛି। ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଲ୍ଲା ପ୍ରସ୍ତୁତ ଥିବା ଜଣାପଡିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ସଞ୍ଜୀବ ଚୋପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ, ଜିଲାପାଳ ଏବଂ ପୌର ପରିଷଦ ଆୟୁକ୍ତମାନେ ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ।ଦ୍ବିତୀୟ ଟିକା ପରେ ବୁଷ୍ଟର ଡୋଜ ନେବାର ୬ମାସ ସମୟ ହୋଇଥିଲେ ହିତାଧିକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ନେଇପାରିବେ। କୌଣସି ହିତାଧିକାରୀ ଅନଲାଇନରେ ବୁକ କରିବାକୁ ଚାହିଁଲେ ୱେବସାଇଟକୁ ଯାଇ ସ୍ଲଟ ବୁକିଂ କରିପାରିବେ। ପ୍ରାଥମିକ ସ୍ତରରେ ଅନଲାଇନରେ ସମସ୍ୟା ସମ୍ଭାବନା ଥିବାରୁ କେନ୍ଦ୍ରକୁ ଆସି ଟିକା ନେବା ଉପରେ ଗୁରୁତ୍ବ ଦିଆଯାଇଛି। ୩୦୦୦ ଟିକାକରଣ କେନ୍ଦ୍ରରେ ୭୫ ଦିନ ପର୍ଯ୍ୟନ୍ତ ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ମାଗଣାରେ ଦିଆଯିବ।

Spread the love