ଓଡ଼ିଶା-ଛତିଶଗଡ଼ ସୀମାକୁ ନିର୍ବାଚନ ୪୮ ଘଣ୍ଟା ପୂର୍ବରୁ ସମ୍ପୂର୍ଣ୍ଣ ସିଲ୍ କରିବ ପୁଲିସ

ଭୁବନେଶ୍ବର: ନିର୍ବାଚନ ପାଇଁ ଆଜି କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଭିଡିଓ କନଫରେନ୍‌ସିଂ ଜରିଆରେ ପଡୋଶୀ ଛତିଶଗଡ଼ର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ବିଶେଷ କରି ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ଛତିଶଗଡ଼ ସହିତ ଲାଗି ରହିଛି। ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଧାର୍ଯ୍ୟ ହୋଇଥ‌ିବା ନିର୍ବାଚନ ତାରିଖର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇ କଡାକଡି ଯାଞ୍ଚ କରାଯିବ।

ଏହାସହ ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରାଯିବ । ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ।

ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ଆର.କେ. ଶର୍ମା, (ଗୁଇନ୍ଦା) ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଏସ. ଦେବଦତ୍ତ ସିଂ, ଆଇ.ଜି.ପି (ପ୍ରୋଭିଜନିଙ୍ଗ), ୟତିନ୍ଦ୍ର କୋୟଲ, ଆଇ.ଜି.ପି (କାର୍ମିକ), ଏସ. ପ୍ରବୀଣ କୁମାର, ଆଇ.ଜି.ପି (ଗୁଇନ୍ଦା), ଅନୁପ ସାହୁ, ଡି.ଆଇ.ଜି.ପି (ଏସଆଇଡବ୍‌ଲୁ), ଡଃ ଉମାଶଙ୍କର ଦାଶ, ଏଆଇଜି (ମୁଖ୍ୟାଳୟ) ବିବେକାନନ୍ଦ ଶର୍ମାଙ୍କ ସମେତ ବିଭିନ୍ନ ରେଞ୍ଜର ଆଇ.ଜି, ଡି.ଆଇ.ଜି ଏବଂ ସୀମାବର୍ଷି ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ। ସେହିପରି ଛତିଶଗଡର ଡିଜିପି ଅଶୋକ ଯୁନେଜା, ଏଡିଜି (ଅପରେସନ)ଙ୍କ ସମେତ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପ‌ସ୍ଥିତ ଥିଲେ।

Spread the love