ଋଷିଆର ଜବାବ ଲାଗି ବୋରିଶ ଜନସନ ପ୍ରସ୍ତୁତ କରିଛନ୍ତି ୬ ଦଫା କାର୍ଯ୍ୟସୂତ୍ରୀ, ଜାଣନ୍ତୁ କ’ଣ ?

ଲଣ୍ଡନ ୬।୩:  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ୟୁକ୍ରେନରେ ଯୁଦ୍ଧର ଘନଘଟା ସମାପ୍ତ ଓ ଋଷିଆକୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଏକ ୬ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମରୁ ୟୁକ୍ରେନକୁ ନେଇ ବ୍ରିଟେନ ବେଶ୍ ଆକ୍ରମକ ଦେଖାଯାଇଛି। ବିଶ୍ୱରେ କୌଣସି ଦେଶ ଋଷିଆ ବିରଧରେ କଟକଣା ଜାରି କରିବା ପୂର୍ବରୁ ବ୍ରିଟେନ ପ୍ରଥମେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଥିଲା। ତେବେ ପ୍ରଶ୍ନ ଉଠୁଛି ଜନସନଙ୍କ ୬ ସୂତ୍ରୀ ଯୋଜନା ପୁତିନଙ୍କୁ ପରାସ୍ତ କରିପାରିବ କି ?

ଜନସନ ତାଙ୍କ କାର୍ଯ୍ୟକ୍ରମରେ ସାରା ବିଶ୍ୱକୁ ଋଷିଆ ବିରୋଧରେ ଏକଜୁଟ କରିବାକୁ ଯୋଜନା କରିଛନ୍ତି। ଏହା ଛଡା ୟୁକ୍ରେନ ଲାଗି ଏକ ଅନ୍ତର୍ଜାତୀୟ ମାନବୀୟ ମେଣ୍ଟ ଗଠନ, କିଭରେ ସୈନ୍ୟ ଆତ୍ମରକ୍ଷାକୁ ପ୍ରୋତ୍ସାହିତ କରିବା, ଋଷିଆକୁ ହଇରାଣ କରିବାକୁ ବିଶ୍ୱରେ ଏକଘରକିଆ କରିବା,  ୟୁକ୍ରେନ ସଂକଟ ହ୍ରାସ ଲାଗି ମଜଭୁତ କୂଟନୈତିକ ଉଦ୍ୟମ ଓ ଆଟଲାଣ୍ଟିକ କ୍ଷେତ୍ରର ପୂର୍ଣ୍ଣ ସୁରକ୍ଷା ଆଦି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି।

ସେପଟେ ଚୀନ୍‌ ବିଦେଶମନ୍ତ୍ରୀ ୱାଙ୍ଗ ଇ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଏଣ୍ଟନୀ ବ୍ଲିଙ୍କେନଙ୍କ ସହ ଟେଲିଫୋନ ଆଳାପରେ ଚୀନ୍‌ ୟୁକ୍ରେନର ନିଆଁରେ ଇନ୍ଧନ ଢାଳିବାର କୌଣସି ପ୍ରକାର କାର୍ଯ୍ୟକୁ ବିରୋଧ କରେ ବୋଲି ସଫାସଫା କହିଥିଲେ। ଅର୍ଥାତ ୟୁକ୍ରେନ ଯୁଦ୍ଧରେ ଆମେରିକା ନିଆଁରେ ଘିଅ ଢାଳିବା ବନ୍ଦ କରୁ ବୋଲି ଚୀନ ସଫାସଫା କହିଛି। ଏହାର ଜବାବରେ ଦୁନିଆ ସବୁ ଦେଖୁଛି ବୋଲି କହିଛନ୍ତି ଆମେରିକା ପରାରାଷ୍ଟ୍ର ସଚିବ। କେଉଁ ଦେଶ ସ୍ୱାଧୀନତା ଓ ସାର୍ବଭୌମତା ଦିଗରେ ଲଢୁଛନ୍ତି ଲୋକେ ଜାଣିଗଲେଣି ବୋଲି ସେ କହିଛନ୍ତି।

ସେମାନଙ୍କର ଏହି ବାର୍ତ୍ତାଳାପ ଶନିବାର ହୋଇଥିଲା। ଏଥିରେ ୱାଙ୍ଗ ଇ ସଂକଟର ତତ୍କାଳ ସମାଧାନ ଲାଗି ଆଲୋଚନା ସହିତ ଏକ ସନ୍ତୁଳିତ ଇୟୁରୋପୀୟ ସୁରକ୍ଷା ତନ୍ତ୍ର ଗଠନ ନେଇ କଥାବାର୍ତ୍ତା ନିମନ୍ତେ ଅହ୍ୱାନ ମଧ୍ୟ କରିଛନ୍ତି। ତେବେ ଆମେରିକା ଓ ଇୟୁରୋପକୁ ଋଷିଆର ସୁରକ୍ଷା ନେଇ ନାଟୋଙ୍କ ପୂର୍ବ ବିସ୍ତାରର ନକରାତ୍ମକ ପ୍ରଭାବ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି। ତେବେଏହି ଆଲୋଚନାରୁ ଚୀନ୍‌ ଏବେ ଆମେରିକା, ଇୟୁରୋପ ସମେତ ପ୍ରସଙ୍ଗରେ ବେଶ ସୁରକ୍ଷିତ ଦୂରରେ ନିଜକୁ ରଖିଥିବାର ସ୍ପଷ୍ଟ ହୋଇଯାଇଛି।

ଅନ୍ୟପକ୍ଷରେ ଋଷିଆର ଏହି ଯୁଦ୍ଧକୁ ଚୀନ୍‌ ଏକ ଭିନ୍ନ ନଜରରେ ଦେଖୁଥିବାର ମଧ୍ୟ ଜଣାପଡିଛି। ବିଶେଷଜ୍ଞ ଏଥିରୁ ଚୀନ୍‌ ଏବେ ଯୁଦ୍ଧକୁ ଏକ ସୁଯୋଗ ଭାବେ ଦେଖୁଥିବା କହିଛନ୍ତି। କୁହାଯାଉଛି ଆଗକୁ ଚୀନ୍‌ ମଧ୍ୟ ତାଇୱାନରେ ଋଷିଆ ଭଳି ସୈନ୍ୟ ଅଭିଯାନ ହାତକୁ ନେଇପାରେ। ଏଣୁ ଏଥିପ୍ରତି ଏବେ ବିଶ୍ୱ ବେଶ ସତର୍କତା ଅବଲମ୍ବନ କରୁଛି। 

Spread the love