ଖତ ଖାଉଛି ବୋଟ୍‌

ପାକିସ୍ତାନ ପଟୁ ଜଳପଥ ଦେଇ ଆତଙ୍କବାଦୀ ଆକ୍ରମଣ ଘଟିପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାକୁ ନେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି। କିନ୍ତୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓ ବ୍ରହ୍ମଗିରି ବ୍ଲକ୍‌ରେ ଥିବା ଉପକୂଳ ମୁକୁଳା ପଡ଼ିଛି। ମେରାଇନ ଥାନା କା’ରେ ଚାଲିଛି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ବଙ୍ଗୋପୋସାଗର ଉପକୂଳକୁ ସୁରକ୍ଷାବଳୟରେ ରଖିବା ପାଇଁ ମେରାଇନ୍‌ ଥାନା ପ୍ରତିଷ୍ଠା ହୋଇଥିଲା। କୃଷ୍ଣପ୍ରସାଦ ବ୍ଲକ୍‌ର ଅରଖକୁଦାଠାରେ ମେରାଇନ୍‌ ଥାନା ନିର୍ମାଣ ହୋଇଥିଲା। ୩ ବର୍ଷ ଭଡ଼ା ଘରେ ଚାଲିବା ପରେ ଏବେ ଏହା ନିଜସ୍ବ ବିଲ୍ଡିଂରେ ଚାଲିଛି। ଦୀର୍ଘ ଦିନ ଧରି ଜଣେ ଏଏସ୍‌ଆଇଙ୍କ ସହିତ ୨ ଜଣ କନେଷ୍ଟବଳ ଓ ୪ ଜଣ ହୋମଗାର୍ଡଙ୍କୁ ନେଇ ଥାନା ଚାଲିଲା। ଏବେ ଏହା ଜଣେ ଆଇଆଇସିଙ୍କ ସହିତ ଜଣେ ଏସ୍‌ଏସ୍‌ଆଇ, ୪ ଜଣ କନେଷ୍ଟବଳ ଓ ୪ ଜଣ ହୋମାଗାର୍ଡଙ୍କୁ ନେଇ ଚାଲିଛି। ଥାନା ପାଇଁ ଆସିଥିବା ଜିପ୍ ବ୍ରହ୍ମଗିରି ଥାନା କାମରେ ନିୟୋଜିତ ହୋଇଛି। ପାଟ୍ରୋଲିଂ ପାଇଁ ଆସିଥିବା ବୋଟ୍‌ ସାତପଡ଼ାରେ ଖତ ଖାଉଛି। ଏହି ବୋଟ୍‌ରେ ନିୟୋଜିତ ୭ ଜଣ କର୍ମଚାରୀ ସାତପଡ଼ାରେ ରହିଛନ୍ତି। ଥାନା ପାଖରେ ନା ଅଛି ବୋଟ୍‌ ନା ଅଛନ୍ତି କର୍ମଚାରୀ। ଚିଲିକା-ସମୁଦ୍ର ଉପକୂଳ ପୂରା ମୁକୁଳା ପଡ଼ିଛି। ମେରାଇନ ଥାନାରେ ୬୦ ଜଣ ତଟରକ୍ଷୀ ବାହିନୀ ରହିବେ ବୋଲି ଉଦ୍‌ଘାଟନ ବେଳେ ଏସ୍‌ପି କହିଥିଲେ। ଏହା ସହିତ ଓଡ଼ିଶା ପୁଲିସର ୪୦ ଜଣ କର୍ମଚାରୀ ଥାନାରେ ରହିବା ସହ ୨୪ ଘଣ୍ଟିଆ ଉପକୂଳ ପାଟ୍ରୋଲିଂ ହେବ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସବୁକିଛି କା’ରେ ଚାଲିଛି।

Spread the love