ଗଲୱାନରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲା ଚାଇନା

ଲଦାଖର ଗଲୱାନ ଆକ୍ରମଣ ପାଇଁ ପୂର୍ବରୁ ହିଁ ଚାଇନା ଯୋଜନା କରିଥିଲା। ଭାରତୀୟ ସେନା ଗଲୱାନ ଭ୍ୟାଲିର ପିପି ୧୪ରେ ପହଞ୍ଚିବା ପରେ ଚାଇନା ସେମାନଙ୍କୁ ଆକ୍ରମଣ କରିଥିଲେ। ଆଜି ଏଭଳି ବୟାନ ରଖିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।ଲଦାଖ ବିବାଦ ପରେ ଆଜି ଏସ ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷ ୱଙ୍ଗ ୟିଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଏ ସମୟରେ ସେ ଚାଇନାର ହରକତକୁ ତୀବ୍ର ବିରୋଧ କରିଥିଲେ। ଆଲୋଚନା ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।ଏଥିରେ କୁହାଯାଇଛି ଯେ ସନିୟର ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା ଜୁନ୍‌ ୬ରେ ହୋଇଥିଲା। ଏହି ଆଲୋଚନା ବେଳେ ଉଭୟ ଦେଶ ଗଲୱାନ ଭ୍ୟାଲିରେ ଉତ୍ତେଜନା ହ୍ରାସ କରିବା ସହ ପଛକୁ ଘୁଞ୍ଚିବାକୁ ରାଜି ହୋଇଥିଲେ। ଗତ ସପ୍ତାହରୁ ଗ୍ରାଉଣ୍ଡ ଲେଭଲରେ ବୁଝାମଣା ପାଇଁ ବୈଠକ ହେଉଛି।କିଛି ସକାରାତ୍ମକ ଫଳାଫଳ ଆସିବାର ସମ୍ଭାବନା ସୃଷ୍ଟି ହେଉଥିବା ବେଳେ ଚାଇନା ସେନା ଏଲଏସି ଅତିକ୍ରମ କରି ଆମ ସୀମାରେ ଟେଣ୍ଟ ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ। ଏହି କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ଗଲୱାନ ସୀମାରେ ଆକ୍ରମଣ କରିବାକୁ ଚାଇନା ସେନା ପୂର୍ବରୁ ଯୋଜନା କରିଥିଲେ।ଭାରତୀୟ ସେନା ସେମାନଙ୍କୁ ପଛକୁ ଘୁଞ୍ଚିବାକୁ କହିଥିଲେ ହେଁ ସେମାନେ ଆକ୍ରମଣ କରିଦେଇଥିଲେ। ଫଳରେ ରାକ୍ତକ୍ତ ସଂଘର୍ଷ ଘଟିଥିଲା। ଗଲୱାନ ଅଞ୍ଚଳର ସ୍ଥିତାବସ୍ଥାକୁ ବଦଳାଇବାକୁ ଚାଇନା ସେନା ଚେଷ୍ଟା କରିଥିଲା ଓ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ଭାଙ୍ଗିଥିଲା।

ଚାଇନାର ଏଭଳି ହରକତ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ତେଣୁ ଚାଇନା ପକ୍ଷରୁ ତା’ର ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟକୁ ବନ୍ଦ କରିବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ଗ୍ରହଣ କରିବା ଦରକାର। ଉଭୟ ଦେଶର ଜୁନ୍‌ ୬ ଆଲୋଚନା ବେଳେ ହୋଇଥିବା ସହମତିକୁ ଗୁରୁତ୍ୱର ସହ ପାଳନ କରିବା ଦରକାର।ଏଥିସହ ଦ୍ୱିପାକ୍ଷିକ ବୁଝାମଣା ଓ ପ୍ରୋଟକଲ ଅନୁସାରେ କାର୍ଯ୍ୟ କରାଯାଉ। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ଶକ୍ତ ଭାବେ ସମ୍ମାନ ଦେବା ସହ ଏହାକୁ ଉଲ୍ଲଙ୍ଘନ ନ କରନ୍ତୁ ବୋଲି ଜୟଶଙ୍କର କହିଛନ୍ତି।ୟି ମଧ୍ୟ ଲଦାଖ ସ୍ଥିତି ସମ୍ପର୍କରେ ଚାଇନାର ପକ୍ଷ ରଖିଥିଲେ। ଏହାପରେ ଉଭୟ ଦେଶ ଜୁନ୍‌ ୬ରେ ହୋଇଥିବା ବୁଝମଣା ଭିତ୍ତିରେ କାର୍ଯ୍ୟ କରିବେ ବୋଲି ରାଜି ହୋଇଥିବା ଜଣାପଡ଼ିଛି।

Spread the love