ଭଗତ ସିଂହଙ୍କ ଭୂମିକା ପାଇଁ କରୁଥି​‌ଲେ ରିହର୍ସଲ, ଚାଲିଗଲା ଛାତ୍ରଙ୍କ ଜୀବନ

କ୍ଷ୍ନୌ ୩୧/୦୭ : ଭଗତ ସିଂଙ୍କ ବଳିଦାନକୁ ଦେଶବାସୀ କେବେ ଭୁଲିପାରିବେ ନାହିଁ । ବଳିଦାନକୁ ସ୍ମରଣୀୟ ରଖିବା ପାଇଁ ତାଙ୍କୁ ଦେଶବ୍ୟାପୀ ସମ୍ମାନୀତ କରାଯାଇଥାଏ । କିନ୍ତୁ ଉତ୍ତର ପ୍ରଦେଶରେ ଜଣେ ୧୦ ବର୍ଷର ଛାତ୍ର ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିବା ପାଇଁ ରିହର୍ସଲ କରୁଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଗଳାରେ ଫାସ ଲଗାଇ ଭଗତ ସିଂଙ୍କ ଭଳି ଫାଶି ଦେବା ରିହର୍ସଲ କରୁଥିବା ବେଳେ ଷ୍ଟୁଲ ଖସିଯିବାରୁ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିବା ପରେ ବନ୍ଦାୟୁର ସିଭିଲ ଲାଇନ୍‌ ଅୟ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, କୁମ୍ବରଗାଓଁ ନିକଟସ୍ଥ ବାବଟ ଗାଁର ଭୁରେ ସିଂହଙ୍କ ପୁଅ ଶିବମ ଗତ ଗୁରୁବାର ଦିନ ଘରେ ଏକାଥିଲା । ପରେ ତାର କିଛି ସାଙ୍ଗମାନେ ତାଙ୍କ ଘରକୁ ଯାଇଥିଲେ । ଆଗାମୀ ସ୍ବାଧୀନତା ଦିବସରେ ନାଟକ ମଞ୍ଚସ୍ତ ପାଇଁ ସର୍ଦ୍ଦାର ଭଗତ ସିଂହ ନାଟକ ପ୍ରସ୍ତୁତ କରୁଥିଲେ ସମସ୍ତେ । ନାଟକରେ ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିଥାନ୍ତେ ଶିବମ । ରିହର୍ସଲ କରୁଥିବା ବେଳେ ତାଙ୍କ ମା ଏବଂ ବାପା ଉଭୟ ନିକଟସ୍ଥ ଜମିରେ କାମ କରୁଥିଲେ । ଘରେ ପିଲାମାନେ ନାଟକ ପରିବେଷଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ଶିବମ ଫାଶି ଲଗାଇ ଅଭ୍ୟାସ କରୁଥିବା ବେଳେ ହଠାତ ପାଦ ତଳୁ ଷ୍ଟୁଲ ଖସିଯାଇଥିଲା । ସେଠାରେ ଉପସ୍ଥିତ ପିଲାମାନେ ଶିବମଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉଦ୍ଧାର କରିପାରିନଥିଲେ । ଉଦ୍ଧାର ପାଇଁ ଆଖପାଖରେ ଥିବା ଲୋକଙ୍କୁ ଡାକ ପକାଇଥିଲେ ସେଠାରେ ଉପସ୍ଥିତ ଥିବା ପିଲା । କିନ୍ତୁ ନିକଟରେ କେହି ଉପସ୍ଥିତ ନଥିଲେ । ଫଳରେ ସମସ୍ତଙ୍କ ସାମ୍ନାରେ ଶିବମର ମୃତ୍ୟୁ ହୋଇଥିଲା ।

ଖବର ଜାଣିବା ପରେ ଜମିରେ କାର୍ଯ୍ୟରତ ଶିବମଙ୍କ ମା-ବାପା ତୁରନ୍ତ ଘରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରିବା ବେଳକୁ ବିଳମ୍ବ ହୋଇଯାଇଥିଲା । ପରିବାର ଲୋକେ କାହାକୁ କିଛି ନଜଣାଇ ଶିବମର ମୃତଦେହୁ ଅନ୍ତିମ ସତ୍କାର କରିଦେଇଥିଲେ । ଶିବମଙ୍କ ପରିବାର ଲୋକେ ତଥା ସମ୍ପର୍କୀୟମାନେ ପୋଲିସକୁ ଏ ବାବଦରେ ଖବର ନଦେଇ ଅନ୍ତିମ ସତ୍କାର କରିଦେଇଥିଲେ । ବନ୍ଦାୟୁ ଥାନା ଅଧିକାରୀ ସଙ୍କଳ୍ପ ଶର୍ମା କହିଛନ୍ତି, ଘଟଣା ବାବଦରେ ତାଙ୍କୁ ସୂଚନା ମିଳିଛି । ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Spread the love