ଆମ୍ବେଦକରଙ୍କ ଚିନ୍ତାଧାରା ଓ ଆଦର୍ଶ ଅନେକଙ୍କୁ ସାମର୍ଥ୍ୟ ଦେଇ ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ

ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀରେ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ମଧ୍ୟ ଆମ୍ବେଦକରଙ୍କ ଚିନ୍ତାଧାରା ଓ ଆଦର୍ଶ ଅନେକଙ୍କୁ ସାମର୍ଥ୍ୟ ଦେଉଛି। ପ୍ରତିବର୍ଷ ଏହି ଦିନକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି, ମହାପରିନିର୍ବାଣ ଦିବସରେ ମହାନ୍‌ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରୁଛି। ତାଙ୍କର ଚିନ୍ତାଧାରା ଓ ଆଦର୍ଶ ନିୟୁତ ନିୟୁତ ଲୋକଙ୍କୁ ସାମର୍ଥ୍ୟ ପ୍ରଦାନ କରି ଚାଲିଛି। ଆମ ଦେଶ ପାଇଁ ସେ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଆମେ ପ୍ରତିବଦ୍ଧ।
ବୌଦ୍ଧଧର୍ମ ପରମ୍ପରାରେ ମହାପରିନିର୍ବାଣ ଶବ୍ଦର ଏକ ଗୂଢ଼ ଅର୍ଥ ରହିଛି। ଏହାର ଅର୍ଥ ଜନ୍ମ ଓ ମୃତ୍ୟୁର ବନ୍ଧନରୁ ଚିରକାଳ ପାଇଁ ମୁକ୍ତ ହେବା।
ସମାଜ ପ୍ରତି ଆମ୍ବେଦକରଙ୍କ ଅବଦାନ ଏବଂ ତାଙ୍କ କୃତିତ୍ୱ ଲାଗି ଡିସେମ୍ବର ୬ ତାରିଖକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଏ। ୧୯୫୬ ମସିହା ଆଜିର ଦିନରେ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା। ଆମ୍ବଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଆଜିର ଦିନରେ ମୁମ୍ବାଇର ଚୈତ୍ୟ ଭୂମିରେ ଅନେକ ଜନସମାଗମ ହୁଏ। କିନ୍ତୁ, ଏ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଦାଦାରସ୍ଥିତ ଚୈତ୍ୟଭୂମିରେ ଜନ ଗହଳି ନ କରିବାକୁ ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌ ନିବେଦନ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Spread the love