ସୁଖୋଇ ବିମାନରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର : ଭାରତୀୟ ବାୟୁସେନା ଗୁରୁବାର ଦିନ ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମସର ମାରକ ଦୂରତା ୪୦୦ କିଲୋମିଟର ବୋଲି ଜଣାପଡ଼ିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବୟାନରେ କୁହାଯାଇଛି ଯେ ‘‘ଏହି ପରୀକ୍ଷଣ ସଫଳ ହୋଇଛି ଓ କ୍ଷେପଣାସ୍ତ୍ରଟି ଆବଶ୍ୟକ ମାନଦଣ୍ଡକୁ ପାଳନ କରିବା ସହ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ସୁଖୋଇ ସ୍ଥଳ ଓ ଜଳଭାଗରେ ଥିବା ଯେକୌଣସି ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହିତ ଆକ୍ରମଣ କରିବାର କ୍ଷମତା ହାସଲ କରିଛି।’’ ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସୁ-୩୦ଏମକେଆଇ ବିମାନରେ ଖଞ୍ଜା ହେବା ପରେ ଏହି କ୍ଷେପଣାସ୍ତ୍ରର ମାରକ ଦୂରତା ବୃଦ୍ଧି ପାଇଛି । ଏହି ସଫଳତା ଭାରତୀୟ ବାୟୁସେନାକୁ ରଣନୈତିକ କ୍ଷମତାକୁ ଆହୁରି ବୃଦ୍ଧି କରିଛି ।

ବିଶ୍ୱାସ କରାଯାଏ ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ଦୂରରେ ସମୁଦ୍ରରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିବ । ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ଏହି ପରୀକ୍ଷଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା, ହାଲ୍ ଓ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love