୫ ବର୍ଷ ପୂର୍ବରୁ ଜଣାପଡ଼ିବ ସ୍ତନ କର୍କଟ

 ନୂଆଦିଲ୍ଲୀ: ଇଂଲଣ୍ଡର ଗବେଷକମାନେ ଏକ ନୂଆ ରକ୍ତ ପରୀକ୍ଷା ପଦ୍ଧତି ବାହାର କରିଛନ୍ତି । ଯାହା ୫ ବର୍ଷ ପୂର୍ବରୁ ସ୍ତନ କର୍କଟ ଲକ୍ଷଣ ଚିହ୍ନଟ କରିପାରିବ । ଏହାର ବିକାଶରେ ଯଦି ସମ୍ପୂର୍ଣ୍ଣ ଅର୍ଥ ବ୍ୟୟ କରାଯାଏ, ତେବେ ୨୦୨୫ ସୁଦ୍ଧା ଏହି ପଦ୍ଧତି କାର୍ଯ୍ୟକାରୀ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି । ନଟିଂହାମ ୟୁନିଭରସିଟି ଏକ୍ସିଲେନ୍ସ ଫର ଅଟୋଇମୁ୍ୟନିଟି ଇନ କ୍ୟାନ୍ସର ସେଣ୍ଟର ଡାକ୍ତରମାନେ ରୋଗୀଙ୍କ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟା ମାପିବା ପାଇଁ ସ୍ତନ କର୍କଟ ନିମିତ୍ତ ଚିତ୍କିସିତ ହେଉଥିବା ୯୦ ଜଣ ରୋଗୀଙ୍କ ରକ୍ତ ନମୁନାକୁ ଏହି ରୋଗ ନଥିବା ବ୍ୟକ୍ତିଙ୍କ ସହ ତୁଳନା କରିଥିଲେ ।

ବର୍ତ୍ତମାନ ସେମାନେ ୮ ଶହ ରୋଗୀଙ୍କ ରକ୍ତ ନମୁନାକୁ ନୂଆ ପଦ୍ଧତିରେ ପରୀକ୍ଷା କରୁଛନ୍ତି । ସ୍ତନ କର୍କଟ ଚିହ୍ନଟ ନିମନ୍ତେ ରକ୍ତ ପରୀକ୍ଷା ବ୍ୟୟବହୁଳ । ସବୁ ବର୍ଗର ଲୋକଙ୍କ ପକ୍ଷେ ସ୍ତନ କର୍କଟ ରକ୍ତ ପରୀକ୍ଷା କରିବା ସମ୍ଭବ ନୁହେଁ । ମମୋଗ୍ରାଫି ଭଳି ବର୍ତ୍ତମାନର ପଦ୍ଧତି ତୁଳନାରେ ନୂଆ ପଦ୍ଧତି ସହଜ ହେବ ବୋଲି ଅଧ୍ୟୟନରେ ସାମିଲ ଉକ୍ତ ୟୁନିଭର୍ସିଟିର ପିଏଚଡି ଛାତ୍ର ଦାନିୟା ଆଲଫାତାନି କହନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ବର୍ଷ ପ୍ରାୟ ୨୧ ଲକ୍ଷ ମହିଳା ସ୍ତନ କର୍କଟରେ ଶିକାର ହେଉଛନ୍ତି । ଗତ ବର୍ଷ ୬,୨୭, ୦୦୦ ମହିଳା ଏଥିରେ ପ୍ରାଣ ହରାଇଥିଲେ । ସମସ୍ତ ପ୍ରକାର କର୍କଟ ଜନିତ ମହିଳାଙ୍କ ମୃତ୍ୟୁର ଏହା ୧୫ ପ୍ରତିଶତ ।

Spread the love