କାହିଁକି ସୀମାରେ ବଢାଗଲା BSF ଯବାନଙ୍କ ଅଧିକାର କ୍ଷମତା; କାରଣ ଦର୍ଶାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୦୭/୧୨ : ବର୍ତ୍ତମାନ ଆମ ଦେଶରେ କିଛି ରାଜ୍ୟରେ ସୀମା ସୁରକ୍ଷା ବଳ(BSF) ର କ୍ଷେତ୍ରୀୟ ଅଧିକାର ଓ କାର୍ଯ୍ୟ କ୍ଷମତାକୁ ବଢ଼ାଇ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର ଲୋକସଭାରେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ରାଜ୍ୟଗୁଡ଼ିକର ସୀମା ଦେଇ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର ବ୍ୟବସାୟ, ନିଶାଦ୍ରବ୍ୟ ଚାଲାଣ,ଜାଲ ନୋଟ୍ କାରବାରକୁ ରୋକିବାପାଇଁ ବିଏସ୍ଏଫ୍‌ର କ୍ଷମତା ପରିସରକୁ ବଢ଼ାଇ ଦିଆଯାଇଛି।

ସରକାର କହିଛନ୍ତି ଭାରତର ସୀମାରେ ଦେଶବିରୋଧୀ ଶତୃମାନଙ୍କ ଦ୍ୱାରା ପଠାଯାଉଥିବା, ଡ୍ରୋନ, ଚାଳକ ବିହୀନ ବିମାନ ଇତ୍ୟାଦି ବୈଷୟିକ ଜ୍ଞାନ କୌଶଳକୁ ପ୍ରଭାବହୀନ କରିବା ପାଇଁ ସୀମା ସୁରକ୍ଷା ବଳର ଅଧିକାର ସମ୍ପ୍ରସାରଣ ନିହାତି ଆବଶ୍ୟକ ଥିଲା। ଏହି ନୂତନ ପଦକ୍ଷେପ ଦ୍ୱାରା ସୀମା ସୁରକ୍ଷାରେ ଥିବା ଯବାନମାନେ ଅଧିକ ଶକ୍ତିଶାଳୀ ହେବେ ବୋଲି ସରକାର ଲୋକସଭାରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପୂର୍ବରୁ ପଞ୍ଜାବ, ପଶ୍ଚିମବଙ୍ଗ, ଆସାମରେ ବିଏସଏଫ ଯବାନମାନଙ୍କୁ ଚଢ଼ଉ ଓ ଗିରଫ କରିବାର ଅଧିକାର କ୍ଷେତ୍ରକୁ ବଢ଼ାଇ ଦିଆଯାଇଥିଲା। ପୂର୍ବରୁ ଯବାନମାନଙ୍କ ନିକଟରେ ରାଜ୍ୟ ସୀମା ଅନ୍ତର୍ଗତ ୧୫ କି.ମି. ଭିତରେ ଏହି କ୍ଷମତା ସୀମିତ ଥିଲା। କିନ୍ତୁ ଏବେ ଏହାକୁ ବଢ଼ାଇ ୫୦ କି.ମି. କରି ଦିଆଯାଇଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟ ପୋଲିସ ବାହିନୀ ସହ ମିଶି ଅପରାଧ ଓ ଅପରାଧି ମାନଙ୍କ ଉପରେ ଅଧିକ ପ୍ରଭାବି ନିୟନ୍ତ୍ରଣ କରିବା ପାଇଁ ବିଏସଏଫର କାର୍ଯ୍ୟ କ୍ଷମତାରୁ ସମ୍ପ୍ରସାରିତ କରାଯାଇଛି।

Spread the love