ଜାଣନ୍ତୁ ମୋଦି ସରକାରଙ୍କୁ କ’ଣ କହିଲେ ମାୟାବତୀ

ଲକ୍ଷ୍ନୌ ୧୭।୬: ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। ଏହାକୁ ନେଇ ବହୁଜନ ସମାଜପାର୍ଟି (ବିଏସପି) ନେତ୍ରୀ ମାୟାବତୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନରେ ଘେରିଛନ୍ତି। ବିଦେଶରେ ପୁଞ୍ଜିପତିଙ୍କ ଦ୍ୱାରା ଜମା କଳା ଧନକୁ ଟାର୍ଗେଟ କରି ମାୟାବତୀ ଦେଶରେ ବିରୋଧୀ ଦଳଙ୍କ ନେତାଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସୀଙ୍କ ଚଢଉ ଆଡକୁ ଇସାରା କରିଛନ୍ତି। ଏ ନେଇ ମାୟାବତୀ ଏକ ଟ୍ୱିଟ୍‌ କରିଥିବା ବେଳେ ଏଥିରେ ଭାରତୀୟ ପୁଞ୍ଜିପତି ଓ ଧନ୍ନାସେଠଙ୍କ ଜମା ଧନ ୧୪ ବର୍ଷର ରେକର୍ଡ ସ୍ତର ୩.୮୩ ବିଲିୟନ ଫ୍ରାଙ୍କକୁ ପହଞ୍ଚିବା ଖବର ଏବେ ଚର୍ଚ୍ଚାରେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଦାରିଦ୍ର୍ୟତା, ମୂଲ୍ୟବୃଦ୍ଧି ଓ ବେକେରୀରେ ସଢୁଥିବା ଲୋକେ ବୁଝି ପାରୁ ନାହାନ୍ତି ସେମାନେ କିପରି ଖୁସି ଅଛନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସ୍ୱିସ୍ ବ୍ୟାଙ୍କରେ ଜମା ଧନ ସମ୍ପର୍କରେ ଜାରି ରିପୋର୍ଟ ସୂତ୍ରରୁ ମାୟାବତୀ ସରକାରଙ୍କ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ପୁଞ୍ଜିପତିଙ୍କ ଜମା ଧନ ୧୪ ବର୍ଷର ରେକର୍ଡ ସ୍ତରରେ ପହଞ୍ଚିଥିବା ରିପୋର୍ଟ ଉଜାଗର କରିଛି। ରିପୋର୍ଟ ଅନୁସାରେ  ୨୦୨୧ରେ ଭାରତୀୟ ପୁଞ୍ଜିପତି ଓ କମ୍ପାନୀଙ୍କ ଜମା ବୃଦ୍ଧି ହୋଇ ୩.୮୩ ବିଲିୟନ ସ୍ୱିସ୍ ଫ୍ରାଙ୍କ ଅର୍ଥାତ ୩୦ ହଜାର ୫୦୦ କୋଟିରୁ ବି ଅଧିକ ହୋଇଯାଇଛି। ଏହା ପୂର୍ବରୁ ୨୦୨୦ ମସିହା ଶେଷ ବେଳକୁ ଏହା ମାତ୍ର ୨.୫୫ ବିଲିୟନ ସ୍ୱିସ୍‌ ଫ୍ରାଙ୍କ ଅର୍ଥାତ ୨୦ ହଜାର ୭୦୦ କୋଟିଟଙ୍କାରେ ସୀମିତ ଥିଲା। ଅର୍ଥାତ ମାତ୍ର ଗୋଟିଏ ବର୍ଷରେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ଦୁଇଗୁଣା ହୋଇଯାଇଛି।

Spread the love