ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆଗତ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଆଗତ କରିଛନ୍ତି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍। ଏଥର ବଜେଟ୍ରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ବଜେଟ୍ରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା, ଏମଏସଏମଇ, ନିଯୁକ୍ତି ଓ କାରବାର ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଛି। ଭାରତୀୟ ସ୍ବାଧୀନତାର ୧୦୦ ବର୍ଷ ପୂର୍ବରୁ ଆଗାମୀ ୨୫ ବର୍ଷର ଅମୃତ କାଳରେ ପ୍ରବେଶ କରିବା ପୂର୍ବରୁ ଏଥର ବଜେଟ୍ରେ କେତେକ କ୍ଷେତ୍ରରେ ଗତିଶୀଳତାକୁ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା, ସମାବେଶୀ ବିକାଶ, ଉତ୍ପାଦିକତାରେ ବୃଦ୍ଧି, ପୁଞ୍ଜିନିବେଶ ଓ ଶକ୍ତି ରୂପାନ୍ତରଣ ସହ ଜଳବାୟୁ କାର୍ଯ୍ୟକ୍ରମ ଆଦି ବଜେଟ୍ର ବିଶେଷତ୍ବ ରହିଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଜରିଆରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ କରାଯାଇ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ଓ ରୋଜଗାର ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା ରହିଛି। ସିଧାସଳଖ ଅର୍ଥପ୍ରଦାନ ନକରି ଭିତ୍ତିଭୂମି ନିର୍ମାଣ ଜରିଆରେ ଜନତାଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ଆଭିମୁଖ୍ୟ ଏହି ବଜେଟ୍ରେ ପ୍ରତିଫଳିତ ହୋଇଛି। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିବାବେଳେ ଏଥର ସରକାର ପୂର୍ବଭଳି ବିଶେଷ କୌଣସି ନୂଆ ନୂଆ ଲୋଭନୀୟ ଯୋଜନା ଘୋଷଣା ନକରି ବରଂ ପ୍ରଚଳିତ ନୀତିକୁ କାଏମ ରଖିବା ସହ ପ୍ରକଳ୍ପ ଗୁଡିକୁ ଆଗକୁ ବଢାଇବାକୁ ପ୍ରୟାସ କରିଛନ୍ତି। ଦେଶ ସ୍ବାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆଗାମୀ ୨୫ ବର୍ଷର ଅମୃତକାଳ ପାଇଁ ଏକ ସଶକ୍ତ, ଆତ୍ମନିର୍ଭର, ବିକାଶଉନ୍ମୁଖୀ ତଥାପ୍ରଗତିଶୀଳ ରାଷ୍ଟ୍ର ଗଠନର ନୀଳ ନକ୍ସା ଆଙ୍କିଛନ୍ତି।
ଏଥର ବଜେଟ୍ରେ ନିମ୍ନ ଓ ମଧ୍ୟମ ଆୟକାରୀ ଏବଂ ଉଦ୍ୟୋଗ ଜଗତ ପାଇଁ ସେଭଳି କୌଣସି ନୂତନ ଟିକସ ଲଗାଯାଇନି। ନିମ୍ନ ଓ ମଧ୍ୟମ ଆୟକାରୀଙ୍କ ଆୟକର ଟିକସ ସୀମା ଓ ରିଆତି ବ୍ୟବସ୍ଥା ପୂର୍ବବତ୍ ଅପରିବର୍ତ୍ତିତ ରହିଛି। ଭିନ୍ନକ୍ଷମଙ୍କୁ ଟିକସ ରିଆତି ପ୍ରଦାନ କରାଯାଇଛି। ତେବେ ସଦ୍ୟ ଆୟକର ଦାଖଲ ସମ୍ବନ୍ଧୀୟ ଜଟିଳତା ସୁଧାରିବା ଲାଗି ଏକ ବର୍ଷ ପରିବର୍ତ୍ତେ ଏହି ସମୟକୁ ଦୁଇବର୍ଷକୁ ବୃଦ୍ଧି କରାଯାଇଛି।
ଶିକ୍ଷା କ୍ଷେତ୍ରରେ ବଜେଟ୍ ବରାଦ ୧ ଲକ୍ଷ ୪ ହଜାର ୨୭୭ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିକ୍ଷା, ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଶିକ୍ଷା ବିଭାଗ ପାଇଁ ପ୍ରଥମ ଥର ପାଇଁ ବ୍ୟୟବରାଦ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବ। ବଜେଟ୍ରେ ବିଶ୍ବସ୍ତରୀୟ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ଦକ୍ଷତା ବିକାଶ ପାଇଁ ଡିଜିଟାଲ୍ ଇକୋସିଷ୍ଟମ ସହ ଆତ୍ମନିର୍ଭର ଭାରତ ଲାଗି ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଜ୍ଞାନକୌଶଳ ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଅନୁରୂପ ଭାବେ ପ୍ରତିରକ୍ଷା କ୍ଷେତ୍ରର ବ୍ୟୟ ବରାଦକୁ ୩,୮୫,୩୭୦ କୋଟିକୁ ବୃଦ୍ଧି କରାଯାଇଛି। ତେବେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ହ୍ରାସ ଲାଗି ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରର ଶିଳ୍ପ ଓ ଷ୍ଟାଟ୍ଅପ୍କୁ ଗୁରୁତ୍ବ ଦିଆଯିବ। ପ୍ରତିରକ୍ଷା ସାମଗ୍ରୀ ଓ ଉପକରଣ ଲାଗି ୬୮ ପ୍ରତିଶତ ଅର୍ଥ କେବଳ ଘରୋଇ ଶିଳ୍ପ କ୍ଷେତ୍ର ପାଇଁ ରଖାଯାଇଛି।
କ୍ରିପ୍ଟୋ କରେନ୍ସି ଓ ବିଟ୍ କଏନ୍ ଭଳି ଭର୍ଚୁଆଲ କରେନ୍ସି ହସ୍ତାନ୍ତର ଉପରେ ସରକାର ୩୦ ପ୍ରତିଶତ ଟିକସ ଲାଗୁ କରିବାକୁ ବଜେଟ୍ରେ ଘୋଷଣା କରିଛନ୍ତି। ଏପରିକି ବିଶ୍ବ ବଜାରରେ ଡିଜିଟାଲ କରେନ୍ସି ଏକ ଆବଶ୍ୟକତା ଥିବାରୁ ଭାରତ ସରକାର ମଧ୍ୟ ଆସନ୍ତା ଆର୍ଥିକ ବର୍ଷରୁ ନିଜସ୍ବ ଡିଜିଟାଲ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ବ୍ୟବସ୍ଥାକୁ ଅତ୍ୟନ୍ତ ସ୍ବଚ୍ଛ, ନିରାପଦଯୁକ୍ତ ତଥା ସହଜ ହୋଇପାରିବ ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବ୍ଳକ୍ଚେନ୍ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରୁଛି। ଏଦିଗରେ ଆରବିଆଇ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି।
ବଜେଟ୍ରେ ମୋଟ ବ୍ୟୟ ଅଟକଳ ୩୯.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ମୋଟ ଆୟ ୨୨.୮୪ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ଅବଶିଷ୍ଟ ପାଣ୍ଠି ସରକାର ଋଣ ଓ ବିଭିନ୍ନ ବିନିବେଶ ସୂତ୍ରରୁ ଆଣିବାକୁ ଯୋଜନା କରିଛନ୍ତି। ବିତ୍ତୀୟ ନିଅଣ୍ଟ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପିର ୬.୪ ପ୍ରତିଶତ ଅନୁମାନ କରାଯାଇଥିବାବେଳେ ୨୦୨୫-୨୬ ବେଳକୁ ଏହାକୁ ୪.୫ ପ୍ରତିଶତକୁ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି। ନିବେଶ କ୍ଷେତ୍ରରେ ରାଜ୍ୟ ଗୁଡିକୁ ସହାୟତା କରିବା ଲାଗି ବଜେଟ୍ରେ ୧ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି। ସ୍ବାଭାବିକ ଋଣଠାରୁ ଏହା ଅଧିକ ୫୦ ବର୍ଷର ସୁଧମୁକ୍ତ ଋଣ ହେବ। ତେବେ ରାଜ୍ୟ ଗୁଡିକୁ ବିତ୍ତୀୟ ନିଅଣ୍ଟକୁ ଜିଏସଡିପିର ୪ ପ୍ରତିଶତ ଭିତରେ ରଖିବାକୁ ଅନୁମତି ଦିଆଯିବ। କେନ୍ଦ୍ର-ରାଜ୍ୟ ଓ ଘରୋଇ ସହଭାଗିତା ଜରିଆରେ ଭିତ୍ତିଭୂମି ନିର୍ମାଣକୁ ସୁଦୃଢ କରିବା ଲକ୍ଷ୍ୟ ରଖିଛନ୍ତି ସରକାର।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ଲାଗି ସରକାର ଅଧିକ ୨ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଣ ସହ ଜରୁରୀ ଋଣ ସଂଯୁକ୍ତ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ୍) ଅଧିନରେ ୧୩୦ ଲକ୍ଷ ଏମଏସଏମଇକୁ ଯୋଗାଇ ଦିଆଯାଇଥିବା ଋଣ ଅବଧିକୁ ବଢାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗ୍ୟାରେଣ୍ଟି ବ୍ୟବସ୍ଥା ୫୦ ହଜାର କୋଟିରୁ ୫ ଲକ୍ଷ କୋଟି ଟଙ୍କା କରାଯିବାକୁ ବଜେଟ୍ ବ୍ୟବସ୍ଥା ହୋଇଛି।
ସବୁଠୁ ଉତ୍ସାହପୂର୍ଣ୍ଣ ରହିଛି ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରହ। ଜାନୁୟାରୀରେ ସରକାର ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଜିଏସଟି ସଂଗ୍ରହ କରିଛନ୍ତି। ଏହାବ୍ୟତୀତ କୃଷି କ୍ଷେତ୍ରର ଭିତ୍ତିଭୂମି ବିକାଶ ଲାଗି ବହୁବିଧ ଯୋଜନା କରାଯାଇଛି। କୃଷକଙ୍କ ଆୟକୁ ଦୁଇଗୁଣ କରିବା ସହ ଦେଶର ଅର୍ଥନୀତିକୁ ଆଗାମୀ ଦିନରେ ୫ ଟ୍ରିଲିୟନ୍ ଡଲାର ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ରହିଛି।