ଚଳିତ ବର୍ଷ ବଜେଟର ରହିଛି ଅଧିକ ଗୁରୁତ୍ୱ: ଆଉ କିଛି ସମୟ ପରେ ହେବ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ, ୨/୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ। ମହାମାରୀ ମାଡ଼ ପରେ ଦେଶରେ ଆସିବାକୁ ଯାଉଛି ଆର୍ଥିକ ବଜେଟ। ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ବଜେଟର ରହିଛି ଅଧିକ ଗୁରୁତ୍ୱ।

ଅର୍ଥନୀତିକୁ ଆଗକୁ ନେବାପାଇଁ ଏଥର ବଜେଟରେ ଅନେକ ପରିବର୍ତ୍ତନ ଆଶା କରାଯାଉଛି। ଉଭୟ ଅର୍ଥନୀତିକୁ ମଜଭୁତ କରିବା ସହିତ ଲୋକଙ୍କୁ ରିହାତି ଦେବା ଲାଗି ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ପରିପ୍ରେକ୍ଷୀରେ ନିଯୁକ୍ତି ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, ଏମଏସଏମଇ, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅର୍ଥମନ୍ତ୍ରୀ ବିଶେଷ ଦୃଷ୍ଟି ଦେବାକୁ ଆଶା କରାଯାଉଛି। ବିପୁଳ ନିଯୁକ୍ତି ସୃଷ୍ଟି କରିପାରୁଥିବା ରେଳ, ଜାତୀୟ ରାଜପଥ, ଜଳସେଚନ, ଟେଲିକମ୍ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି। ସେହିପରି ମଧ୍ୟବିତ୍ତଙ୍କ ପକେଟକୁ ଟଙ୍କା ଦେବା ଲାଗି ଅର୍ଥମନ୍ତ୍ରୀ ଆୟକର ରିହାତି ଦେଇପାରନ୍ତି। କରୋନା ଓ ଏହାର ପରବର୍ତ୍ତୀ ସ୍ଥିତିରେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଫୋକସରେ ରହିବ।

Spread the love