ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପରିଦର୍ଶନ

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠ ଝାମୁଝରି ଯାଇ ସେଠାରେ ଥିବା ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ  ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ବୁଲି ଦେଖିଛନ୍ତି । ସେଠାରେ ପହଞ୍ଚିବା ପରେ  ଅନ୍ତେବାସୀ ମାନଙ୍କ ତରଫରୁ ତାଙ୍କୁ ଏହି ମୁକ୍ତାକାଶ କାରାଶ୍ରମକୁ ସ୍ୱାଗତ କରାଯାଇଥିଲା । ସେଠାରେ  ସେ ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।  ଅନ୍ତେବାସୀମାନେ ଆଶ୍ରମ ତରଫରୁ ଦିଆଯାଉଥିବା ରାସନ୍‌ ଚାଉଳ ପରିମାଣ କମ୍‌ ହେଉଥିବା  ଅଭିଯୋଗ କରିଥିଲେ । ପରେ ମନ୍ତ୍ରୀ ସେଠାରେ ଉପସ୍ଥିତ କାରା ମହାନିର୍ଦ୍ଦେଶକ ଏବଂ ସୁଧାରଣ  ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ରାସନ ପରିମାଣ ବଢ଼ାଇବା ଦିଗରେ ପଦକ୍ଷେପ  ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ତେବାସୀମାନେ କାରାଦଣ୍ଡ ସମୟସୀମା ଅତିକ୍ରାନ୍ତ
ହେଲା ପରେ ବି ଖଲାସ ଅବଧି ବହୁତ ବିଳମ୍ବ ହେଉଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଥିବା ପ୍ରକାଶ  କରିଥିଲେ । ଏପରିକି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିବାକୁ ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ  କରିଥିଲେ । ପରେ ମନ୍ତ୍ରୀ ଏହି ମୁକ୍ତାକାଶ କାରାଗାର ପରିସର ବୁଲି ଦେଖିଥିଲେ । ସେଠାରେ ଅନ୍ତେବାସୀମାନଙ୍କ ହାତବୁଣା ଗାମୁଛା, ରୁମାଲ, ବେଡ୍‌ସିଟ୍‌ ପ୍ରଭୃତି ଦେଖି ସେ ଖୁସି ବ୍ୟକ୍ତ  କରିଥିଲେ । ତା’ଛଡ଼ା ବାଇଗଣ, କଦଳୀ, ଆମ୍ବ, ଅମୃତଭଣ୍ଡା, ପୋଟଳ, ଭେଣ୍ଡି, ଶାଗ ପରି ଭଳିକି  ଭଳି ପନିପରିବା ସାଙ୍ଗକୁ ବତକ ଚାଷ ଏବଂ ଡାଏରୀ ଫାର୍ମରେ ଦୁଗ୍‌ଧ ଉତ୍ପାଦନ ପ୍ରଭୃତି ବୁଲି ଦେଖିଥିଲେ । ପରିଶେଷରେ ଆଶ୍ରମ ପରିସରରେ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେବାକୁ ଆଶ୍ରମ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ କହିଥିଲେ । ଏହି  ଅବସରରେ ଜେଲର ଶ୍ରମତୀ ସ୍ମିତା ମହାନ୍ତି, ସହକାରୀ ଜେଲର ଶ୍ରୀ ଫଗୁ ଚରଣ ଦାସ, ପ୍ରୋବେସନ ଅଫିସର ଶ୍ରୀମତୀ ସୁଧାଙ୍ଗନା ନାୟକ, ଛତାବର ସରପଞ୍ଚ ଶ୍ରୀମତୀ ମନସ୍ୱିନୀ ଡେଙ୍ଗ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ନିକଟରେ ଥିବା ମହାତ୍ମାଗାନ୍ଧୀ ଏକାଡେମୀ ଅଫ୍‌ ପି୍ରଜନ  ପରିଦର୍ଶନ କରିଥିଲେ ।

Spread the love