ବସ୍ ଷ୍ଟାଣ୍ଡର ସଫେଇ କରିବେ ଏସଏଚଜି, ୫ ହଜାର କୋଟି ଟଙ୍କାର କାମ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର ୨୨।୧୧:  ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତରେ ବସ ଷ୍ଟାଣ୍ଡ ସଫେଇ। ମହିଳାଙ୍କ ହାତକୁ କାମ ଦେଲା ପରିବହନ ବିଭାଗ। ଏବେ  ବସଷ୍ଟାଣ୍ଡର ସଫେଇ ଦାୟିତ୍ବ ନେବେ ଏସଏଚଜି । ଏହା ସହିତ ବସଷ୍ଟାଣ୍ଡରେ ମିଶନ ଶକ୍ତିର  ସାମଗ୍ରୀ  ବିକିବା ପାଇଁ ୨୫ ପ୍ରତିଶତ ଦୋକାନ ଘର  ଏସଏଚଜିଙ୍କ ପାଇଁ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଏପଟେ ଏସଏଚଜି ମହିଳାଙ୍କୁ ସଫେଇ ଦାୟିତ୍ବ ଦେବା ପରେ ସମାଲୋଚନା କରିଛନ୍ତି ବିରୋଧୀ । ଏସଏଚଜି ମୂଳ ଉଦ୍ଦେଶ୍ୟରୁ ବାଟବଣା କରାଯାଇ କେବଳ ଭୋଟ୍  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।ଏହାକୁ ଖଣ୍ଡନ କରିଛନ୍ତି ପରିବହନ ମନ୍ତ୍ରୀ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ଦେଲା  ପରିବହନ ବିଭାଗ । ଏଣିକି ବସ ଷ୍ଟାଣ୍ଡର ସଫେଇ ଦାୟିତ୍ବରେ ରହିବେ ଏସଏଚଜି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୫ ହଜାର କୋଟି ଟଙ୍କା କାମ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏନେଇ ବିଭନ୍ନ ବିଭାଗ ଖସଡା ପ୍ରସ୍ତୁତ କରିଥିବା ବେଳେ ପରିବହନ ବିଭାଗ ପକ୍ଷରୁ ମଧ୍ୟ ଏସଏଚଜି ମହିଳାଙ୍କୁ ଥଇଥାନ କରିବା ପାଇଁ ୫ସୂତ୍ରୀ ଯୋଜନା କରାଯାଇଛି । ଏସଏଚଜି ସଦସ୍ୟାମାନଙ୍କୁ ବସଷ୍ଟାଣ୍ଡ ଗୁଡିକର ସଫେଇ ଦାୟିତ୍ବ ଦିଆଯାଇଛି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯେତେ ନୂତନ ବସ୍ ରହଣୀ ସ୍ଥଳ ନିର୍ମାଣ କରାଯିବ ସେଠାରେ ଏସଏଚଜି ସଦସ୍ୟାମାନେ ହିଁ ସଫେଇ କାର୍ଯ୍ୟର ତଦାରଖ କରିବେ। ବସଷ୍ଟାଣ୍ତରେ ମିଶନଶକ୍ତି ବଜାର ପାଇଁ ୨୫ ପ୍ରତିଶତ ଦୋକାନ ସଂରକ୍ଷିତ ରହିବ। ଏପରିକ ବ୍ଲକସ୍ତରୀୟ ବସଷ୍ଟାଣ୍ଡରେ ଦୁଇଟି ଦୋକାନ ଏସଏଚଜି ମହିଳାଙ୍କୁ ଦିଆଯିବ। ସେପଟେ ଏହାକୁ ଏସଏଚଜି ମହିଳାମାନେ ସ୍ବାଗତ କରିଛନ୍ତି।

ଏପଟେ ପରିବହନ ବିଭାଗର ଏଭଳି ନିଷ୍ପତ୍ତି ଆସିବା ପରେ ବିରୋଧୀ ସମାଲୋଚନା କରିଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଯେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା ତାହା ଏବେ ବାଟମଣା ହୋଇଛି। ସେମାନେ ନିଜସ୍ବ ପ୍ରଡକ୍ଟ ତିଆରି କରି ବଜାରରେ ବିକ୍ରୀ କରି ସ୍ବାବଲମ୍ବୀ  ହେବାକଥା କିନ୍ତୁ ସେମାନଙ୍କୁ ଏବେ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଛି।  ନିର୍ବାଚନ ଆସିଲେ ସେମାନଙ୍କ ପାଇଁ କିଛି ସବସିଡି ମନି ଘୋଷଣା କରିଦେଉଛନ୍ତି। ଆଉ ଏବେ ସଫେଇ କାର୍ଯ୍ୟରେ ଲାଗାଉଛନ୍ତି। ଯାହା ଫଳରେ ସେମାନେ ଆଉ ସ୍ବାବଲମ୍ବୀ ହେବେ ନାହିଁ କହିଛନ୍ତି ବିରୋଧୀ।  ଏଭଳି ଅଭିଯୋଗକୁ ପରିବହନ ମନ୍ତ୍ରୀ ଖଣ୍ଡନ କରିଛନ୍ତି। 

ଗୋଟିଏ ପରେ ଗୋଟିଏ ବିଭାଗ ମହିଳାଙ୍କ ହାତକୁ କାମ ଦେବାକୁ କାର୍ଯ୍ୟ ଖସଡା ପ୍ରସ୍ତୁତ କରୁଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି କିଛି କମ ହେଉନି।

Spread the love