ବସ ଧର୍ମଘଟ ଡାକରା: ବାଲେଶ୍ୱରରେ ମିଶ୍ରିତ ପ୍ରଭାବ

ବାଲେଶ୍ୱର: ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିଥିବା ବେଳେ ଆଉ ଏକ ସଂଘ ରାଜ୍ୟ ନିଷ୍ପତ୍ତିକୁ ବିରୋଧ କରି ତା’ର ସେବା ଚାଲୁ ରଖିଛି। ଆଜି ସକାଳୁ ବାଲେଶ୍ୱର ସହର ସହଦେବଖୁଣ୍ଟା ବସଷ୍ଟାଣ୍ଡରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ପୁଲିସ ମୁତୟନ ହୋଇଥିବା ବେଳେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ରଶ୍ମିରଞ୍ଜିତ ଦଳବେହେରା ନିଜେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେପଟେ ବାଲେଶ୍ୱର ବସଷ୍ଟାଣ୍ଡରୁ ଜଳେଶ୍ବର ଅଭିମୁଖେ ଯାଇଥିବା ଏକ ବସକୁ ସକାଳ ୯ଟା ସମୟରେ ସେଠାରେ ଅଟକା ଯାଇଥିବା ଖବର ଆସିଥିଲା। ତୁରନ୍ତ ବାଲେଶ୍ୱର ଆରଟିଓ ବାଲେଶ୍ୱର ଏସପିଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଏସପି ସାଗରିକା ନାଥଙ୍କ ନିର୍ଦେଶରେ ଜଳେଶ୍ବର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଅଟକାଇଥିବା ଗୋଷ୍ଠୀଙ୍କୁ ତାଗିଦ କରିବା ପରେ ସେମାନେ ବସଟିକୁ ଛାଡ଼ିଥିଲେ।

ସେହିପରି ବସ ଧର୍ମଘଟ ଓ ଦୁର୍ଗା ପୂଜା ଯୋଗୁ ଯାତ୍ରୀ ତଥା ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ସ୍ଥାନୀୟ ଚାରିଚକିଆ ଓ ଅଟୋ ଚାଳକ ଯାତ୍ରୀଙ୍କ ଠାରୁ ମୋଟା ଅଙ୍କର ଭଡ଼ା ଦାବି କରୁଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ବସ ଧର୍ମଘଟକୁ ସମର୍ଥନ କରିଥିବା ବାଲେଶ୍ୱର ମୋଟର ଆସୋସିଏସନ ଅଧୀନରେ ୪୦୦ ବସ ଆଜି ଚଳାଚଳ ବନ୍ଦ ରଖିଥିବା ବେଳେ ବସ ଧର୍ମଘଟକୁ ବିରୋଧ କରିଥିବା ବାଲେଶ୍ୱର ଜିଲ୍ଲା ଘରୋଇ ବସ ମାଲିକ ସଂଘ ଅଧୀନରେ ୧୦୦ଟି ବସ ପୂର୍ବବତ୍ ସେବା ଜାରି ରଖିଛନ୍ତି।

Spread the love