ବସ ଟ୍ରକ ଧକ୍କା, 18 ଗୁରୁତର

ଅନୁଗୁଳ(ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ସହିତ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବ ଫଳରେବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହିତ ସମୁଦାୟ ୧୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 
 ସୂଚନା ଅନୁଯାୟୀ, ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ‘ଗରୁଡ଼’ (ଓଆର-୧୫-କେ-୧୯୧୯) ବସ୍‌ର କତଡ଼ା ନିକଟରେ  ଏକ ଟ୍ରକ  (ଓଆର୦୯ପି -୬୬୩୨) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୧୮ ଜଣ  ଆହତ ହୋଇଥିଲେ।  ଦୁର୍ଘଟଣା ପରେ ରାସ୍ତା ଜାମ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ  ହୋଇଥିଲା।
ଖବର ପାଇ ଜରପଡ଼ା ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଗାଡ଼ି  ଦୁଇଟିକୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଏହି ଦୁର୍ଘଟଣାରେ ବିଲେଇନାଳୀର ନରୋତ୍ତମ ରାଉଳ(୪୬), ସମ୍ବଲପୁର ଜିଲ୍ଲାର ମୋଦିପଡ଼ା ଅଞ୍ଚଳର ଦୁର୍ଗାଚରଣ ସ୍ବାଇଁ(୬୦) ଓ ଜେରେଙ୍ଗ ଗ୍ରାମର ଝୁନାରାଣୀ ସାହୁ(୪୦), ଅଶୋକ ବେହେରା(୩୧), ଓ ଦୁ‌େର୍ଯ୍ୟାଧନ ସାହୁ(୩୧)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ  ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
 
ଅନ୍ୟ ଆହତମାନଙ୍କ ମଧ୍ୟରେ ଏନ୍‌, ମିଶ୍ର(୫୨), ଇନ୍ଦୁମତୀ ସାହୁ(୪୦),  ସଚ୍ଚିନ୍ଦ୍ର ସାହୁ, ଝୁନୁରାଣୀ ସାହୁ(୪୫),  ବିରଞ୍ଚି ମଲ୍ଲିକ, ସୁଦୀପ୍ତା ବିନ୍ଧାଣୀ(୪୬), ରୁନି ସାହୁ(୩୫), ହୃଦାନନ୍ଦ ଦେହୁରୀ(୬୩), ପୁଷ୍ପାମଞ୍ଜରୀ ଦେହୁରୀ(୫୩), ଅଶୋକ ବେହେରା (୩୩), ଗୋପାଳ ପାଣିଗ୍ରାହୀ(୪୬),  ଲିପ୍ସା ପ୍ରିୟଦର୍ଶନୀ ସାହୁ(୬), ଦୀପ୍ତିମୟୀ ସାହୁ(୨୨), ଅମିନ୍‌ ନାୟକ(୭୦), ବିଦ୍ୟାନାଥ ସାହୁ ପ୍ରମୁଖ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ଅଧିକାରୀ ବଇତୁରା ଦୀପ ଚିକିତ୍ସାଳୟକୁ ଯାଇ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା  ସହିତ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ୫  ହଜାର ଟଙ୍କା ଲେଖାଏଁ ‌ ଦେଇଥିଲେ। ଏଥିସହ   ଅନୁଗୁଳ ଆରଟିଓଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଜରପଡ଼ା ପୁଲିସ ପହଞ୍ଚି ଉଭୟ ବସ୍‌ ଓ ଟ୍ରକ ଦୁଇଟିକୁ ଜବତ କରିଛି।
Spread the love