ଦିନକରେ ହେବ ଆୟକର ପ୍ରୋସେସିଂ, ୪୨୪୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ପରବର୍ତି ପିଢ଼ିର ଆୟକର ବ୍ୟବସ୍ଥା ବିକଶିତ କରିବା ସମ୍ପର୍କିତ ୪୨୪୨ କୋଟି ଟଙ୍କାର ଏକ ପ୍ରକଳ୍ପକୁ ଆଜି କ୍ୟା‌ବିନେଟ୍ କମିଟି‌ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆଇଟି କଂପାନି ଇନ୍‌ଫୋସିସ୍‌କୁ ଚୟନ କରାଯାଇଛି। ଅଠର ମାସ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାର ପରବର୍ତି ତିନି ମାସ ପରୀକ୍ଷଣ କରାଯିବା ପରେ ନୂତନ ବ୍ୟବସ୍ଥାକୁ ପୂର୍ଣ୍ଣ କ୍ଷମତା ସହ ଲାଗୁ କରାଯିବ। ଏହି ନୂଆ ବ୍ୟବସ୍ଥାରେ ଆୟକର ରିଟର୍ଣ୍ଣ ପ୍ରୋସସିଂ ସମୟ ଗୋଟିଏ ଦିନକୁ ହ୍ରାସ ପାଇବ।

ବର୍ତ୍ତମାନ ପ୍ରୋସସିଂ ସମୟ ୬୩ ଦିନ ରହିଛି। ଏହି ବ୍ୟବସ୍ଥା ଦ୍ବାରା ରିଫଣ୍ଡ୍‌ ମଧ୍ୟ ଶୀଘ୍ର ମିଳିବ। ଇ-ଫାଇଲିଂ ଓ ସେଣ୍ଟ୍ରାଲାଇଜଡ୍‌ ପ୍ରୋସେସିଂ ସେଣ୍ଟର୍‌ (ସିପିସି) ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆୟକର ବିଭାଗର ସବୁ କାର୍ଯ୍ୟ ସ୍ବୟଂଚାଳିତ ହୋଇଯିବ। ବିଭାଗର ବିନା କୌଣସି ହସ୍ତକ୍ଷେପରେ ଆୟକର ରିଟର୍ଣ୍ଣର ପ୍ରୋସେସିଂ ହେବା ସହ ଟିକସଦାତାଙ୍କ ବ୍ୟାଙ୍କ ଖାତାରେ ରିଫଣ୍ଡ୍‌ ଅର୍ଥ ଜମା ହୋଇଯିବ। ଏହା ଦ୍ବାରା ଟିକସଦାତାଙ୍କୁ ଏକ ଭିନ୍ନ ଅନୁଭୂତି ମିଳିବ। ଟିକସ ପଇଠକୁ ନେଇ ସେମାନେ ଅଧିକ ସଚେତନ ହୋଇପାରିବେ ଏବଂ ସ୍ବେଚ୍ଛାକୃତ ନିୟମ ପାଳନ ହାର ବଢ଼ିବ ବୋଲି କୁହାଯାଇଛି।

Spread the love