ଦିଲ୍ଲୀ ଅଧ୍ୟାଦେଶ ସ୍ଥାନରେ ବିଲ୍ ଆଗତ କରିବେ କେନ୍ଦ୍ର ସରକାର, ବିଲକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସର୍ଭିସେସ ଅଧ୍ୟାଦେଶ ବଦଳରେ ଏକ ବିଧେୟକ ( ବିଲ୍) ଆଣିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ସଂସଦରେ ଏହି ବିଲ୍ ଆଗତ ହେବା ପୂର୍ବରୁ ଏହାକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଥିବା ବେଳେ ସରକାର ମୌସୁମୀ ଅଧିବେଶନରେ ହିଁ ସଂସଦରେ ଏହି ବିଲ୍ ଆଗତ କରିପାରନ୍ତି । ସରକାର ଏହି ବିଲକୁ କେବଳ ମୌସୁମୀ ଅଧିବେଶନରେ ସଂସଦରେ ଆଗତ କରିପାରିବେ । କାରଣ ଏପରି ନ କଲେ ଅଧ୍ୟାଦେଶଟି ଅକାମି ହୋଇଯିବ ।

ଏହି ଅଧ୍ୟାଦେଶକୁ ନେଇ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।  ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା ମଧ୍ୟ ଏ ନେଇ ଉପରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ସରକାରୀ ଅଧିକାରୀଙ୍କ ବଦଳି କ୍ଷମତା କେନ୍ଦ୍ର ସରକାରଙ୍କୁ ଅର୍ପଣ କରୁଥିବା ଏହି ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

ଅନ୍ୟପକ୍ଷରେ ଏହି ଅଧ୍ୟାଦେଶ ବିରୋଧରେ ରାଜନୈତିକ ସମର୍ଥନ ଯୋଗାଡ଼ରେ ଲାଗିଛି ଆପ୍ । ନିକଟରେ କଂଗ୍ରେସ ଏ ପ୍ରସଙ୍ଗରେ ଆପକୁ ସମର୍ଥନ କରିଛି ।

 

Spread the love