ଅଧିକ ରିପୋର୍ଟ ଆଣିବେ ସିଏଜି: ନୂଆ କ୍ଷେତ୍ରର ଅଡିଟ୍ ହେବ

ନୂଆଦିଲ୍ଲୀ: ଏକାଧିକ ଅଡିଟ୍ ରିପୋର୍ଟ ଜାରି ହେବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କାମ ଡିଜିଟାଲ୍ ମାଧ୍ୟମରେ ହେବ। ଫଳରେ ପୂର୍ବରୁ ରିପୋର୍ଟ ତିଆରି କରିବା ଲାଗି ଯେତିକି ସମୟ ଲାଗୁଥିଲା ତାହା ହ୍ରାସ ପାଇବ। ତାହା ଅଧିକ ରିପୋର୍ଟ ତିଆରି କରିବା ଲାଗି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଗୋଆରେ ଅନୁଷ୍ଠିତ ଜି୨୦ର ସୁପ୍ରିମ୍‌ ଅଡିଟ୍‌ ଅନୁଷ୍ଠାନର ବୈଠକ ଶେଷ ‌ପରେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଏହି ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଅଧିକ ଅଡିଟ୍ ରିପୋର୍ଟ ଜାରି କରାଯିବ। ଜାହାଜ ଓ ତଳସ୍ତର ତଳେ ହେଉଥିବା ଉତ୍ତୋଳନ କାର୍ଯ୍ୟଗୁଡ଼ିକର ଅଡିଟ୍ କରାଯିବ। ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଏହି କାର୍ଯ୍ୟ ହେବ। ଉପଗ୍ରହ ଓ ଡ୍ରୋନ୍ ବ୍ୟବହାର ଏହି ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବ। ଫଳରେ ରିପୋର୍ଟର ତଥ୍ୟ ଆହୁରି ସଠିକ୍ ହୋଇପାରିବ ବୋଲି ସେ କହିଛନ୍ତି। ଅଡିଟ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଢାଞ୍ଚାର ତଥ୍ୟ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଏନେଇ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟ ସହ ଏକ ସେମିନାର ଆୟୋଜନ କରାଯାଇଥିଲା।

ସେମାନେ ଆବଶ୍ୟକ ତଥ୍ୟ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ଗୋଆରେ ଅନୁଷ୍ଠିତ ବୈଠକରେ ଜି୨୦ ଦେଶଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଶ୍ରେଷ୍ଠ ପ୍ରଥାକୁ ଶିଖିବା ଲାଗି ସହମତ ହୋଇଛନ୍ତି। ଏଥି ସହିତ ନୀଳ ଅର୍ଥନୀତି ଓ ଏଆଇର ଦାୟିତ୍ବବାନ ବ୍ୟବହାର ପାଇଁ ଆନ୍ତର୍ଜାତିକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ମଧ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ରାଜି ହୋଇଛନ୍ତି। ପାଣିପାଗ ପରିବର୍ତ୍ତନ, ନେଟ୍‌ ଜିରୋ ଲକ୍ଷ୍ୟ ଆଦିକୁ ନେଇ ସବୁ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଜି୨୦ ସେର୍‌ପା ଅମିତାଭ କାନ୍ତ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ନିଜ କେବଳ ନିଜ ଦେଶର ସୀମା ବିଷୟରେ ନୁ‌‌ହେଁ, ଆମକୁ ମିଳିତ ଭାବେ ସାରା ବିଶ୍ବ ପାଇଁ ଚିନ୍ତା କରିବାକୁ ପଡ଼ିବ।

Spread the love