ପୁଣି ଚର୍ଚ୍ଚାରେ କ୍ୟାମ୍ପସ୍ ଅଶାନ୍ତି: ଦୁଇ ଦିନ‌‌ରେ ଦୁଇ ପ୍ରମୁଖ କଲେଜରେ ବାଡ଼ିଆପିଟା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ବିଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ସରକାର ୫ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖିଛନ୍ତି। ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରାଯାଇ ଏକ ଜନସ୍ୱାର୍ଥ ମାମଲାରେ ନିକଟରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କ୍ୟାମ୍ପସ୍‌ରେ ସିନା ନିର୍ବାଚନ ହେଉନି, ମାତ୍ର ଅଶାନ୍ତୁ ଥମିବାର ନାଁ ଧରୁନି। ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ଅଶାନ୍ତି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହେଲାଣି।

ଗତ ସପ୍ତାହରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ କା‌ର୍ଯ୍ୟାଳୟ ମଧ୍ୟରେ ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ପଶି ଭଙ୍ଗାରୁଜା କରିଥିଲେ। କାର୍ଯ୍ୟାଳୟରେ ଲାଗିଥିବା ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମଫଳକକୁ ଭାଙ୍ଗି ଦେଇଥି‌ଲେ। ଏନେଇ ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକମାନେ ପ୍ରଶ୍ନ ଉଠାଇଥିଲେ। ଗତ ୧୧ ତାରିଖ ଦିନ ରାଜ୍ୟର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ଢ଼େଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।ଏଥିରେ ଏକାଧିକ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଜେବି ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବାଡ଼ିଆପିଟା ହୋଇ ୮ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଏ ସଂପର୍କରେ ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ହାଇକୋର୍ଟର ଶୁଣାଣିକୁ ପ୍ରଭାବିତ କରିବାକୁ ବିସିଜେଡ଼ି ପକ୍ଷରୁ ଏଭଳି ହୀନ ଉଦ୍ୟମ କରାଯାଉଛି। ଏହାସହ ବିଜେବି ମହାବିଦ୍ୟାଳୟରେ ସ୍ବୟଂଶାସିତ ମାନ୍ୟତା ନଥିବା କାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଆସିବା ପରେ ଏଥିରୁ ଧ୍ୟ୍ୟାନ ହଟାଇବା ପାଇଁ ସରକାରଙ୍କ ସମର୍ଥନରେ ଏଭଳି ଯୋଜନାବଦ୍ଧ ଆକ୍ରମଣ କରାଯାଇଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ କୋର୍ଟ, ନିର୍ବାଚନ ହେବାକୁ ଚାହୁଁଛି। ଏଥିରେ ସରକାର ଭୟଭୀତ ହୋଇପଡ଼ିଛନ୍ତି। ତେଣୁ କୋର୍ଟଙ୍କ ରାୟକୁ ବଦାଳଇ ନିଜ ସପକ୍ଷ‌ରେ ରାୟ ଆଣିବାକୁ ଓ ନିର୍ବାଚନ ବନ୍ଦ କରିବାକୁ ସରକାରଙ୍କ ସମର୍ଥିତ ଛାତ୍ରଗୋଷ୍ଠୀ ବିଭିନ୍ନ ମହାବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।

ଏଆଇଏସଏଫ୍‌ର ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲେ ହେଁ କ୍ୟାମ୍ପସରେ ଗୁଣ୍ଡାରାଜ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷାର ସମସ୍ୟାକୁ ଉତ୍‌ଥାପନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରାଯାଉଛି। ନେତୃତ୍ବର ଭୃଣହତ୍ୟା ସହ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛି। ହେଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, କ୍ୟାମ୍ପସ ଗଣ୍ଡଗୋଳ ବାବଦରେ ସେ କିଛି ଜାଣିନାହାନ୍ତି।

Spread the love