ଆଜିଠୁ ଗଡ଼ିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ (୨୨୮୧୧/୨୨୮୧୨)ର ସମସ୍ତ ରେକ୍ ତେଜସ୍ କୋଚ୍ ସହ ବୁଧବା‌ରଠାରୁ ଚଳାଚଳ କରିବ। ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଏହି ଏକ୍ସପ୍ରେସ୍‌ ତେଜସ୍ କୋଚ୍ ସହ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ, ସେପ୍ଟେମ୍ବର ୧ରୁ ନୂଆଦିଲ୍ଲୀରୁ ଚାଲିବ। ସେହିପରି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ମଙ୍ଗଳବାର, ବୁଧବାର, ଗୁରୁବାର ଓ ରବିବାର ନୂଆଦିଲ୍ଲୀରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩/୨୨୮୨୪) ତେଜସ୍ କୋଚ୍ ସହିତ ଉଭୟ ପାର୍ଶ୍ୱରୁ ଅଗଷ୍ଟ ୩୧ରୁ ଚଳାଚଳ କରିବ। ତେଜସ୍ କୋଚ୍‌ଗୁଡ଼ିକରେ ଇଲେକ୍ଟ୍ରୋ-ପେନ୍ୟୁମାଟିକ ସହାୟକ ହୋଇଥିବା ବ୍ରେକ୍, ସ୍ୱୟଂଚାଳିତ ପ୍ରବେଶ ପ୍ଲଗ୍‌ ଦ୍ୱାର, ସିଟ୍‌ଗୁଡ଼ିକରେ ପୁନଃ ଡିଜାଇନ୍ ହୋଇଥିବା ଇ-ଲେଦର ଚଟାଣ, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍ ଗନ୍ତବ୍ୟସ୍ଥଳ ବୋର୍ଡ, ଇଲେକ୍ଟ୍ରୋନିକ୍ ଯାତ୍ରୀ ସଂରକ୍ଷଣ ଚାର୍ଟ, ଅଗ୍ନି ଓ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଉନ୍ନତ ଶୌଚାଳୟ, ଜଳସ୍ତରର ସୂଚକ ଆଦି ଯାତ୍ରୀଙ୍କୁ ଉନ୍ନତ ମାନର ଯାତ୍ରା ଉପଲବ୍ଧି ପ୍ରଦାନ କରାଇବ। ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୪ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନଠାରେ ରାଜଧାନୀ ଏକ୍ସପ୍ରେସକୁ ତେଜସ କୋଚ ସହ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Spread the love