କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ

କ୍ୟାପିଟାଲ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଏହା ହେଉଛି ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ । ଗତ ୧୫ ତାରିଖରେ କଟକଏସସିବି ମେଡ଼ିକାଲ୍ କଲେଜରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହୋଇଥିଲା । ଆସନ୍ତାକାଲି ରାଉରକେଲା ଆଇଜିଏଚ୍ ରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବ । ପରେ ପରେ ବ୍ରହ୍ମପୁର ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ । କୋଭିଡ୍ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ପ୍ଲାଜମାରେ ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା କରାଯାଏ । ରାଜ୍ୟରେ ଏହାର ସୁଫଳ ମିଳିଛି । କଟକର ଜଣେ ଗୁରୁତର ଆକ୍ରାନ୍ତ ମହିଳା ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଇତିମଧ୍ୟରେ ଘରକୁ ଫେରିଛନ୍ତି । ଅନ୍ୟ କେତେ ଜଣ ଗୁରୁତର ରୋଗୀ ଏହି ଚିକିତ୍ସା ବଳରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ପ୍ଲାଜମା ଥେରାପି ଚିକିତ୍ସା ହେଉଛି, କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମାକୁ ଗୁରୁତର କରୋନା ଆକ୍ରାନ୍ତଙ୍କ ଦେହରେ ଇଂଜେକ୍ଟ କରାଯିବା । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଦେହରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ିକୁ ପ୍ଲାଜମା ଜରିଆରେ ଗୁରୁତର ରୋଗୀଙ୍କୁ ଦିଆଯିବା ଦ୍ୱାରା ତାଙ୍କ ଦେହରେ ଏହି ଆଣ୍ଟିବଡ଼ି ଗୁରୁତର ରୋଗୀଙ୍କୁ ଆରୋଗ୍ୟ କରିଥାଏ । ଜଣେ ବ୍ୟକ୍ତିଙ୍କ ପ୍ଲାଜମାରେ ଦୁଇଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଉଛି । ପ୍ଲାଜମା ଦାନକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାରୀ କଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି ।

Spread the love