ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି । ପିଅନ ଗିରଫ । ଚୁଡ଼ଙ୍ଗ ସାହି ଚିନ୍ମୟ ସ୍କୁଲ୍‌ ନିକଟରେ ରହୁଥିବା ସୁଶାନ୍ତ କୁମାର ରାଉତରାୟକୁ ଗିରଫ କରିଛି ପୋଲିସ୍‌ । ସୁଶାନ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପିଅନ ଭାବେ କାମ କରନ୍ତି । ଟଙ୍କା ଗଣତି ସମୟରେ ସୁଶାନ୍ତ ଚୋରି କରୁଥିବା ସିସିଟିଭିରେ କଏଦ୍‌ ହୋଇଛି । ମହାପ୍ରଭୁଙ୍କ ହୁଣ୍ଡିରେ ଭକ୍ତମାନେ ଦାନ ଦେଉଥିବା ଟଙ୍କାକୁ ପ୍ରତ୍ୟେକ ଦିନ ଅପରାହ୍ନରେ ଶ୍ରୀମନ୍ଦିର ଭିତରେ ଥିବା ଗାରଦ ଅଫିସ୍‌ ନିକଟରେ ଗଣତି କରାଯାଏ। ଏହି ସମୟରେ ଶ୍ରୀମନ୍ଦିରର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରୁହନ୍ତି। ତାଙ୍କ ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ ଟଙ୍କା ଗଣିଥାନ୍ତି । ଶନିବାର ଟଙ୍କା ଗଣତି କାର୍ଯ୍ୟରେ ଅଭିଯୁକ୍ତ ସୁଶାନ୍ତ ନିୟୋଜିତ ଥିଲେ। ଅପରାହ୍ନ ୪ଟାରୁ ଟଙ୍କା ଗଣା ଆରମ୍ଭ ହୋଇଥିଲା। ଗଣତି ମଧ୍ୟରେ ସୁଶାନ୍ତ ବାହାରକୁ ଯାଇଥିଲେ । ଏନେଇ ସନ୍ଦେହ ଉପୁଜିବା ପରେ ଶାଖା କାର୍ଯ୍ୟାଳୟକୁ ଆସି ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାତରଙ୍କୁ ଜଣାଯାଇଥିଲା । ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ସୁଶାନ୍ତ କିଛି ଟଙ୍କା ପକେଟରେ ପୁରାଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ହୁଣ୍ଡିଟଙ୍କା ଚୋରି କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜଣେ ପିଅନଙ୍କୁ ନିଲମ୍ବିତ କରାଯାଇଥିଲା ।

Spread the love