ଆଜିଠୁ ସିବିଏସ୍‌ଇ ଦଶମ ପରୀକ୍ଷା, ଓଡ଼ିଶା ବନ୍ଦକୁ ନେଇ ପରୀକ୍ଷାର୍ଥୀ ଚିନ୍ତିତ

 ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷାର ପ୍ରଥମ ଦିନ ଇ-ପବ୍ଲିସିଂ ଆଣ୍ଡ ଇ-ଅଫିସ୍‌ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ 10ଟା 30ରୁ ମଧ୍ୟାହ୍ନ 12ଟା 30 ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ବିଧିବଦ୍ଧ ଭାବେ ସାରା ଦେଶରେ ଦଶମ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଥିଲେ ମଧ୍ୟ ମାର୍ଚ୍ଚ 2ରୁ ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। 2 ତାରିଖରେ ଆଇଟି ବିଷୟର ପରୀକ୍ଷା ରହିଛି। ଏହି ପରୀକ୍ଷା ମାର୍ଚ୍ଚ 29 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପୂର୍ବାହ୍ନ 10ଟା 30ରୁ ପରୀକ୍ଷା ହେବାକୁ ଥିବାବେଳେ 10ଟାରୁ 10ଟା 15 ଭିତରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ପ୍ରଦାନ କରାଯିବ। 10ଟା 15ରେ ପ୍ରଶ୍ନପତ୍ର ଦିଆଯିବ। ଏହାପରେ 15 ମିନିଟ୍‌ ଧରି ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ପଢ଼ିବେ। ଠିକ୍‌ 10ଟା 30ରେ ଉତ୍ତର ଲେଖିବା ଆରମ୍ଭ କରିବେ।

ସିବିଏସ୍‌ଇର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଜୋନ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ 21ତାରିଖରୁ ପରୀକ୍ଷା ଆରମ୍ଭ ହେଉଥିଲେ ମଧ୍ୟ ଓଡ଼ିଶାରେ ବହୁ କମ୍‌ ପିଲା ଏହି ଅପ୍ସନାଲ୍‌ ବିଷୟର ପରୀକ୍ଷା ଦେଉଛନ୍ତି। ମାର୍ଚ୍ଚ 2ରୁ ପ୍ରମୁଖ ବିଷୟ ପରୀକ୍ଷା ଆରମ୍ଭ ହେବ। ଏଥର ଜୋନ୍‌ରେ 55 ହଜାରରୁ ଅଧିକ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାର 18 ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି।ଅନ୍ୟପକ୍ଷରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାରୁ ସିବିଏସ୍‌ଇ ପରୀକ୍ଷା‌ ଉପରେ ତାହାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ, ସ୍କୁଲ ବସ୍‌କୁ ଆନ୍ଦୋଳନରୁ ବାଦ ଦିଆଯିବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ଘୋଷଣା କରିଥିଲେ ମଧ୍ୟ ବନ୍ଦକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଅଛନ୍ତି।

Spread the love