ରଥଯାତ୍ରା ପାଇଁ ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ

ପୁରୀ : ଚଳିତ ବର୍ଷର ରଥଯାତ୍ରା ପାଇଁ ଗତକାଲି ପୁରୀ ହୋଟେଲ ମାଲିକ ସଂଘ ସହ ପୋଲିସ ପ୍ରଶାସନର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସହରର ସମସ୍ତ ହୋଟେଲରେ ସିସିଟିଭି କ୍ୟାମେରା ଲଗାଯିବା ବାଧ୍ୟତାମୂଳକ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଅନେକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ବିଭିନ୍ନ ହୋଟେଲ ଓ ଲଜ୍‌ରେ ରହିବେ। ତେଣୁ ସେମାନଙ୍କ ଲାଗି ହୋଟେଲକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ପୁରୀ ସହରର ସବୁ ହୋଟେଲରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭିରେ ଅତିକମ୍‌ରେ ୭ଦିନର ତଥ୍ୟ ସଂରକ୍ଷିତ ରହିବା ଭଳି ବ୍ୟବସ୍ଥା ଥିବା ଦରକାର। ପ୍ରତିଦିନ ହୋଟେଲ ମାଲିକମାନେ ଯାତ୍ରୀଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟ ସ୍ଥାନୀୟ ଥାନାରେ ଦାଖଲ କରିବେ। ପ୍ରତ୍ୟେକ ଥାନାର ଆଇଆଇସି ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିବେ। ହୋଟେଲ ଓ ଲଜ୍‌ ମାଲିକମାନେ ଏହି ଗ୍ରୁପ୍‌ରେ ରହିବେ। ଗ୍ରୁପ୍‌ରେ ହୋଟେଲ, ଯାତ୍ରୀଙ୍କ ସୁରକ୍ଷା ଓ ରହଣି ସମ୍ପର୍କରେ ଆଲୋଚନା ହେବ। ପର୍ଯ୍ୟଟକଙ୍କ ପାଇଁ ଏକ ହେଲ୍ପଲାଇନ୍‌ ନମ୍ବର (୬୩୭୦୯୬୭୧୦୦) ଜାରି କରାଯାଇଛି। ହୋଟେଲ ମାଲିକମାନେ ନିଜ ରିସେପଶନ୍‌ ସେଣ୍ଟରରେ ଉକ୍ତ ହେଲ୍ପଲାଇନ୍‌ ନମ୍ବର ଲେଖାଇବେ, ଯେପରି ତାହା ଯାତ୍ରୀଙ୍କ ନଜରକୁ ଆସିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ସମସ୍ୟା ସମ୍ପର୍କିତ ସୂଚନା ପାଇଁ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

Spread the love