ନୂତନ ସିଡିଏସ ନିଯୁକ୍ତି ପ୍ରକ୍ରିୟା ଜୋର, ଜାଣନ୍ତୁ ଦୌଡରେ କିଏ ରହିଛନ୍ତି ଆଗରେ

ନୂଆଦିଲ୍ଲୀ ୧୭।୧୨: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତଙ୍କ ନିଧନ ପରେ ଏବେ ନୂତନ ସିଡିଏସର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତିନି ସେନାର ସୁପାରିଶ ଆଧାରରେ ତାଲିକାକୁ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରାଯିବ । ଜଣେ ଅଧିକାରୀ କହିଛନ୍ତି, ସରକାର ଜେନେରାଲ ବିପିନ ରାଓ୍ଵତଙ୍କ ଉତ୍ତରାଧିକାରୀ ଚୟନ ପାଇଁ ସ୍ଥଳସେନା, ନୌସେନା ଓ ବାୟୁ ସେନାର ବରିଷ୍ଠ କମାଣ୍ଡରଙ୍କୁ ନେଇ ଗଠିତ କମିଟି ତାଲିକାକୁ ଅନ୍ତିମ ରୂପ ଦେଉଛନ୍ତି।

ସୂଚନାଯୋଗ୍ୟ, ଭାରତର ପ୍ରଥମ ସିଡିଏସ ଜେନେରାଲ ରାଓ୍ଵତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣ ସେନା ଅଧିକାରୀ ଓ କର୍ମଚାରୀଙ୍କ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିଲା। ଘଟଣାରେ ଜୀବିତ ଏକ ମାତ୍ର  ବ୍ୟକ୍ତି ଗୁରୁତର ଆହତ ଗ୍ରୁପ କ୍ୟାପଟେନ୍  ବରୁଣ ସିଂହଙ୍କ ବୁଧବାର ପରଲୋକ ଘଟିଛି। ଏବେ ନୂତନ ସିଡିଏସ ପାଇଁ ପ୍ରକ୍ରିୟା ଜାରି ରହିଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ମଞ୍ଜୁରୀ ମିଳିବା ପରେ ନୂତନ ସିଡିଏସଙ୍କ ନିଯୁକ୍ତି ପାଇଁ ଚୂଡାନ୍ତ ନାମ ମନ୍ତ୍ରିମଣ୍ଡଳର ନିଯୁକ୍ତ କମିଟି ନିକଟକୁ ପଠାଯିବ। ତେବେ ସ୍ଥଳସେନା ଏମଏମ ନରଓ୍ଵଣେ ସିଡିଏସ ପଦ ଦୌଡରେ ଆଗରେ ଅଛନ୍ତି। ତାଙ୍କର ଅନୁଭବ ଏବଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ସେନାର ଏହି ଶୀର୍ଷ ପଦରେ ନିଯୁକ୍ତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଆସନ୍ତା ବର୍ଷ ଏପ୍ରିଲରେ ସେନାଧ୍ୟକ୍ଷରୁ ଅବସର ନେଉଛନ୍ତି।

ଯଦି ଜେନେରାଲ ନରଓ୍ଵଣେ ସିଡିଏସ ନିଯୁକ୍ତ ହୁଅନ୍ତି ତେବେ ତାଙ୍କର ଉତ୍ତରାଧିକାରୀ ଉପରେ ମଧ୍ୟ ବିଚାର କରିବାକୁ ପଡିବ। ସ୍ଥଳସେନା ଉପ ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଓ ନଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଯୋଶୀ ସ୍ଥଳସେନା ପ୍ରମୁଖ ପଦ ଦୌଡରେ ଆଗରେ ଅଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଓ ଯୋଶୀ ଗୋଟିଏ ବ୍ୟାଚ୍‌ର ଏବଂ ଜେନେରାଲ ନରଓ୍ଵଣେଙ୍କ ପରେ ବରିଷ୍ଠତମ କମାଣ୍ଡର। ଉଭୟ ଜାନୁଆରୀ ୨୧ରେ ନିଜ ପଦରୁ ଅବସର ନେଉଛନ୍ତି। ଜେନେରାଲ ବିପିନ ରାଓ୍ଵତ  ଭାରତର ପ୍ରଥମ ସିଡିଏସର ପଦଭାର ଗତ ବର୍ଷ ଜାନୁଆରୀରେ ଗ୍ରହଣ କରିଥିଲେ। ସିଡିଏସ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସଚିବ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାମ କରନ୍ତି।

Spread the love