ଅପରେସନ ସିନ୍ଦୂର ସ୍ଥଗିତ ରହିଛି, ଶେଷ ହୋଇନି: ସିଡିଏସ୍
ନୂଆଦିଲ୍ଲୀ : ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ପୁଣି ଥରେ ଅପରେସନ ସିନ୍ଦୂର ନେଇ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର କେବଳ ସ୍ଥଗିତ ରହିଛି, ଶେଷ ହୋଇନାହିଁ । ଏହି ଅପରେସନ ପରେ ପାକିସ୍ତାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭଳି ପଦ ସୃଷ୍ଟି କରିଥିଲା । ଏହି ପଦ ଜଳ, ସ୍ଥଳ ଓ ବାୟୁ ସେନାକୁ ଏକାଠି ଭାବେ କେନ୍ଦ୍ରୀଭୂତ କରିବା ପାଇଁ ସୃଷ୍ଟି କରାଯାଇଇଛି । ଏହା ପାକିସ୍ତାନକୁ ସାମ୍ବିଧାନିକ ସଂଶୋଧନ କରବାକୁ ବାଧ୍ୟ କରିଥିଲା । ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ବହୁ ପରିବର୍ତ୍ତନ କରାଯାଇଛି ଓ ସେଥିପାଇଁ ପ୍ରୟାସ କରାଯାଇଛି । ଫଳରେ ମେ’ରେ ହୋଇଥିବା ଏହି ଛୋଟିଆ ଯୁଦ୍ଧରେ ପାକିସ୍ତାନ ନିଜର ବହୁ ତ୍ରୁଟି ଓ ଦୁର୍ବଳତା ସ୍ୱୀକାର କରିଛି । ତେଣୁ ପାକିସ୍ତାନର ପରାଜୟ ହୋଇଛି ବୋଲି ଏଥିରେ ସ୍ପଷ୍ଟ ଭାବେ କୁହାଯାଇପାରେ ବୋଲି ସେ କହିଛନ୍ତି । ଶୁକ୍ରବାର ପୁଣେ ପବ୍ଲିକ ପଲିସି ଫେଷ୍ଟିଭାଲରେ ସିଡିଏସ୍ ଏହି ମନ୍ତବ୍ୟ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ପାଇଁ ଆମେ ଏକ ଷ୍ଟାଣ୍ଡାର୍ଡ ସିଷ୍ଟମ ଅର୍ଥାତ ମାନକ ବ୍ୟବସ୍ଥା ବିକଶିତ କରୁଛୁ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ସେ ଅପରେସନ ସିନ୍ଦୂରକୁ ନେଇ ଏକାଧିକ ଥର ନିଜର ମନ୍ତବ୍ୟ ଦେଇଛନ୍ତି । ଉଲ୍ଲେଖଥାଉ କି, କାଶ୍ମୀର ପହଲଗାମରେ ୨୦୨୫ ଏପ୍ରିଲ ୨୨ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୨୫ ଓ ଜଣେ ନେପାଳ ନାଗରିକ ମୃତ୍ୟୁବରଣ କରିଥିଲେ । ଧର୍ମ ପଚାରି ଆତଙ୍କବାଦୀ ମାନେ ଏହି କାଣ୍ଡ ଘଟାଇଥିଲେ । ଏହାର ବିରୋଧରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ମେ ୬ ଓ ୭ ତାରିଖରେ ଭାରତ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଲକ୍ଷ୍ୟ କରି ମିସାଇଲ ମାଡ଼ କରିଥିଲା ଓ ଏଥିରେ ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ମେ ୧୦ରେ ପାକିସ୍ତାନର ଅନୁରୋଧ କ୍ରମେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।
