ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରମାନଙ୍କୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଦେଶୀ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ସମେତ ସରୋଗେଟ୍ (ଛଦ୍ମ) ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମର ସମସ୍ତ ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ(ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର) ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ବିଜ୍ଞାପନଗୁଡ଼ିକ ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଏବଂ ଜୁଆଖେଳର ଏକ ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ । ଭାରତୀୟ ଦର୍ଶକଙ୍କୁ ଆଖି ଆଗରେ ରଖି ଏଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରସାରଣ ନ କରିବାକୁ ମନ୍ତ୍ରଣାଳୟ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦେଇଛି। ଏଭଳି ବିଷୟବସ୍ତୁ ପ୍ରକାଶ ନ କରିବା ପାଇଁ ସେମାନଙ୍କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନ ପ୍ରୟାସ କରିବାକୁ ମଧ୍ୟ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାକୁ ପାଳନ ନକଲେ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ବ୍ୟବସ୍ଥା ଅନୁଯାୟୀ ସାମାଜିକ ଗଣମାଧ୍ୟମ ପୋଷ୍ଟ କିମ୍ବା ଆକାଉଣ୍ଟକୁ ହଟାଇବା କିମ୍ବା ଅଚଳ କରିବା ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମାର୍ଗଦର୍ଶିକାରେ ଚେତାବନୀ ଦିଆଯାଇଛି।

ସୂଚନା ପ୍ରଯୁକ୍ତି ଆଇନ,୨୦୦୦ର ଧାରା ୭୯ରେ ମଧ୍ୟସ୍ଥଙ୍କ ଦ୍ୱାରା ଉପଲବ୍ଧ କିମ୍ବା ହୋଷ୍ଟ କରାଯାଇଥିବା ତୃତୀୟ ପକ୍ଷ ସୂଚନା, ଡାଟା କିମ୍ବା ଯୋଗାଯୋଗ ଲିଙ୍କ୍ ପାଇଁ ସେମାନଙ୍କୁ ଦାୟିତ୍ୱରୁ ମୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଧାରା ୭୯ର ଉପଧାରା (୩)(ବି)ରେ ବ୍ୟବସ୍ଥା ରହିଛି ଯେ ଯଦି ବାସ୍ତବିକ ସୂଚନା ପ୍ରାପ୍ତ ହେବା କ୍ଷେତ୍ରରେ, କିମ୍ବା ଉପଯୁକ୍ତ ସରକାର କିମ୍ବା ତାଙ୍କର ଏଜେନ୍ସି ଦ୍ୱାରା ସୂଚୀତ କରାଯିବା ପରେ ମଧ୍ୟସ୍ଥଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପ୍ୟୁଟର ସମ୍ବଳରେ ଥିବା କିମ୍ବା ଏହା ସହିତ ଜଡ଼ିତ କୌଣସି ସୂଚନା, ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କକୁ ଅପରାଧ ଭଳି ବେଆଇନ କାର୍ଯ୍ୟରେ ଉପଯୋଗ କରାଯାଇଛି ଏବଂ ମଧ୍ୟସ୍ଥ କୌଣସି ସାକ୍ଷ୍ୟକୁ ନଷ୍ଟ ନକରି ସେହି ସମ୍ବଳରେ ଥିବା ଉକ୍ତ ବିଷୟବସ୍ତୁ ପର୍ଯ୍ୟନ୍ତ ଆକ୍ସେସ୍‌କୁ ଯଥାଶୀଘ୍ର ହଟାଇବା ଏବଂ ନିଷ୍କ୍ରିୟ କରିବାରେ ବିଫଳ ହୋଇଛନ୍ତି ତା’ହେଲେ ଦାୟିତ୍ୱରୁ ଛାଡ଼ ସୁବିଧା ଲାଗୁ ହେବ ନାହିଁ ।

Spread the love