ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଅବଦୁଲ ଶକୁର

ଲାହୋର: ଏକ ସଡକ ଦୁର୍ଘଟଣାରେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କର ମୃତ୍ୟୁ ହୋଇଛି। ସେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଥିଲେ। ଏହି ସଡକ ଦୁର୍ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ କହିଛି ଯେ ଶନିବାର ସନ୍ଧ୍ୟାରେ ମନ୍ତ୍ରୀଙ୍କ କାର ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ଅବଦୁଲ ଗୁରୁତର ଆହତ ହୋଇଥିଲେ | ଏହା ପରେ ତାଙ୍କୁ ପଲିକ୍ଲିନିକ୍ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କ ମୃତ୍ୟୁ ପରେ ପୁଲିସ କହିଛି ଯେ ମନ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି। ପୁଲିସର ସୂଚନାନୁସାରେ କେନ୍ଦ୍ର ମନ୍ତ୍ରୀ ନିଜେ କାର ଚଳାଉଥିଲେ।

ତେବେ ରାସ୍ତାରେ ଯାଉଥିବାବେଳେ ହଠାତ ଏକ କାର ତାଙ୍କ କାର ସାମ୍ନାକୁ ଆସି ଧକ୍କା ଦେଇଥିଲା। ସଡକ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମରିୟମ ଆଉରଙ୍ଗଜେବ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବଦୁଲ ଶକୁରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି | ଏହି ଦୁର୍ଘଟଣା ପରେ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love