ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଆସିଲେ କେନ୍ଦ୍ରୀୟ ଟିମ୍‌

ସାମୁଦ୍ରିକ ଝଡ଼ ‘ଅମ୍ଫାନ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ୭ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ଆଜି ଓଡ଼ିଶା ଆସିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ୨ଦିନ ଧରି ବାତ୍ୟା କ୍ଷତିଗ୍ରସ୍ତ ୪ଟି ଜିଲ୍ଲାରେ ରହି କ୍ଷୟକ୍ଷତିର ସମୀକ୍ଷା କରିବେ। ଏହି ଟିମ୍ କ୍ଷୟକ୍ଷତି ଆକଳନ କରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ସେହି ସମୟରେ ସରକାରଙ୍କ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମ୍ ୨ଟି ଗ୍ରୁପରେ ବିଭକ୍ତ ହୋଇ ୪ଟି ଜିଲ୍ଲାକୁ ଗସ୍ତ କରିବେ। ଗୋଟିଏ ଗ୍ରୁପ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଏବଂ ଅନ୍ୟ ଗ୍ରୁପ୍ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। ଉଭୟ ଗ୍ରୁପ୍ ୨ଦିନ ଧରି ସେସବୁ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ଫେରିବାପରେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଏହି କେନ୍ଦ୍ରୀୟ ଟିମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ କେନ୍ଦ୍ରୀୟ ସହାୟତା ଦାବି କରାଯିବ। ବାତ୍ୟାରେ କ୍ଷୟକ୍ଷତି ସହ ଉପକୂଳ ଜିଲ୍ଲାଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ ବାତ୍ୟା ନିରୋଧକ ଛାତଘର ନିର୍ମାଣ, ଉପକୂଳ ସୁରକ୍ଷା ପାଇଁ ବିସ୍ତୃତ ଯୋଜନା ଆଦି ନିମନ୍ତେ ଅର୍ଥ ସହାୟତା ଦାବି କରାଯିବ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ୫୦୦କୋଟି ଟଙ୍କାର ତତ୍କାଳ ସହାୟତା ପ୍ରଦାନ କରିଥିଲେ।

Spread the love