ହାଓ୍ବଡ଼ା ରାମନବମୀ ହିଂସା : ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର

କୋଲକାତା : ହାୱଡ଼ା ଜିଲ୍ଲାରେ ରାମନବମୀ ସମୟରେ ହୋଇଥିବା ହିଂସା କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛି ।

କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହ କଥା ହୋଇ ରାଜ୍ୟର ସ୍ଥିତି, ବିଶେଷ କରି ହାୱଡ଼ାର ହିଂସାପ୍ରବଣ ଅଞ୍ଚଳର ସମୀକ୍ଷା କରିଥିଲେ । ମାର୍ଚ୍ଚ ୩୦ ତାରିଖରେ ଏହି ପର୍ବ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଅଞ୍ଚଳରେ ଅନେକ ଗାଡିରେ ନିଆଁ ଲଗାଇବା ସହ ଦୋକାନ ଭଙ୍ଗାରୁଜା କରାଯାଇଛି ।

ଏହା ପୂର୍ବରୁ ରାଜ୍ୟପାଳ ବୋଷ ନିଜର ଦାର୍ଜିଲିଂ ଗସ୍ତ ଛାଡି ହିଂସା କାଣ୍ଡ ଘଟିଥିବା ଅଞ୍ଚଳରେ ପରିଦର୍ଶନ କରିଥିଲେ । ରାଜ୍ୟପାଳ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥିଲେ । ଦାର୍ଜିଲିଂ ଛାଡ଼ି କୋଲକାତା ବିମାନ ବନ୍ଦରରେ ଅବତରଣ କରିବା ପରେ ସେ ସିଧା ହୁଗଲି ଜିଲ୍ଲାର ରିସଡା ଯାଇଥିଲେ।

ଏହି ଅବସରରେ ସେ ଗୁଣ୍ଡାମାନଙ୍କୁ ଆଇନ ହାତକୁ ନେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଭିଡ଼ତନ୍ତ୍ରର ମୂଳୋତ୍ପାଟନ କରିବେ। ଆଇନ ପ୍ରଣୟନକାରୀ ସଂସ୍ଥା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Spread the love