ଧାମନଗରରେ ପରାଜୟରୁ ବଂଚିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାଁରେ ମିଛ ଅଡିଓ ଭାଇରାଲ କରୁଛି ବିଜେଡି : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର, ତା.୨୮/୧୦: ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଧାମନଗର ଉପନିର୍ବାଚନ ଲାଗି ବିଜୁ ଜନତା ଦଳ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଲଗାଇଛି । ଶେଷରେ ବିଜୁ ଜନତା ଦଳ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଟାଣିବା ସହ ମିଥ୍ୟା ଅଡିଓ, ଭିଡିଓର ଷଡଯନ୍ତ୍ର ରଚନା କରି ସବୁ ଅପରାଧର ସୀମା ଟପିଯାଇଛି । ଶାସକ ବିଜେଡି ପୂର୍ବରୁ ନିର୍ବାଚନ ଆଚରଣ ବିଧିକୁ ଖୁଲମ୍ ଖୁଲା ଉଲଘଂନ କରିବାର ସମସ୍ତ ପ୍ରମାଣ ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଆସୁଛି । କିନ୍ତୁ ଶାସକ ଦଳ ସୁଧୁରିବା ପରିବର୍ତେ ପୁଣି ଏକ ମିଥ୍ୟା ଅଡିଓ କ୍ଲିପ୍ ପ୍ରସ୍ତୁତ କରି ତାକୁ ଭାଇରାଲ କରି ଆଉ ଏକ ଧର୍ତବ୍ୟ ଅପରାଧକୁ ଆପଣାଇଛି । ଏନେଇ ଭାରତୀୟ ଜନତା ପାର୍ଟିର ୭ଜଣିଆ ଟିମ୍ ଭୁବନେଶ୍ୱର ଭିଏସ୍‌ଏସ୍ ନଗର ସ୍ଥିତ ସାଇବର ଥାନାରେ ଲିଖିତ ଏଫଆଇଆର କରିବା ସହ ପରେ ପରେ ଆଜି ସିଇଓଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ସୂଚନାଥାଉ କି, ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାର ଏକ ମିଥ୍ୟା ଅଡିଓ, ଭିଡିଓ କ୍ଲିପ ଯାହାକି ଏକ ସାମ୍ବାଦିକ ଭଏସ୍ ଭଳି ନ୍ୟୁଜ୍ ଫରମାର୍ଟରେ ଭାଇରାଲ ହେଉଛି । ଏହି ଭାଇରାଲ ଅଡିଓଟି ସମ୍ପୂର୍ଣ୍ଣ ଅସତ୍ୟ । ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଚାଣିବା ଏବଂ ତାଙ୍କୁ ଯୋଡି ମିଥ୍ୟା ଅଡିଓ ଭାଇରାଲ କରିବା ଏକ ହୀନ ରାଜନୀତି ଓ ଧର୍ତବ୍ୟ ଅପରାଧ । ବିଭିନ୍ନ ଦଳ ଭିନ୍ନ ଭିନ୍ନ ଉପାୟରେ ନିର୍ବାଚନ ପ୍ରଚାର କରିଥାନ୍ତି । କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଶାସକ ବିଜୁ ଜନତା ଦଳ ଗତ ୨ସପ୍ତାହ ମଧ୍ୟରେ ଯେଭଳି ଅଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରୁଛି ତାହା ସମ୍ପୂର୍ଣ୍ଣ ଅନୈତିକ ଏବଂ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି ।
ଧାମନଗରରେ ଯେଉଁ ପଂଚାୟତ ବିଜୁ ଜନତା ଦଳକୁ ଅଧିକ ଭୋଟ ଦେଇ ଜିତାଇବ ତାହାକୁ ସେମାନେ ପୁରସ୍କାରରେ କୋଟିଏ ଟଙ୍କା ଦେବେ । ଆହୁରି ମଧ୍ୟ ଶାସକ ଦଳ ନିର୍ବାଚନ ବୈତରଣୀ ପାର ହେବା ଲାଗି ଭୋଟରଙ୍କୁ ଧମକାଇବା, କଲେକ୍ଟର, ଜିଲ୍ଲାର ଅନେକ ପଦାଧିକାରୀଙ୍କୁ ବ୍ୟବହାର କରିବା ଘଟଣାରେ ବିଭିନ୍ନ ତଥ୍ୟ ସହ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୂର୍ବରୁ ଅଭିଯୋଗ ଦେଇଥିଲୁ । କିନ୍ତୁ ଆଜିର ଏହି ଘଟଣା ବିଜୁ ଜନତା ଦଳର କୁଚକ୍ରାନ୍ତକୁ ପଦାରେ ପକାଇଛି । ଭାରତ ବର୍ଷର ଗୃହମନ୍ତ୍ରୀଙ୍କୁ ଜାଣିଶୁଣି ବିବାଦ ଭିତରକୁ ଠେଲିବା ଏକ ସାଂଘାତିକ ଅପରାଧ । ଧାମନଗରବାସୀଙ୍କୁ ଭ୍ରମିତ କରିବା ଲାଗି ବିଜୁ ଜନତା ଦଳର ଏହା ଏକ ହୀନ ଚକ୍ରାନ୍ତ । ଶାସକ ଦଳ ହାରିବା ଭୟରେ ଧାମନଗରବାସୀଙ୍କ ହ୍ୱାର୍ଟସପ୍‌କୁ ମିଥ୍ୟା ଅଡିଓ, ଭିଡିଓ କରି ମତଦାତାଙ୍କ ଭିତରେ ବିଭ୍ରାନ୍ତ ସୃଷ୍ଟି କରୁଛି । ଏହି ମିଛ ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମକୁ ଲୋକଲୋଚନକୁ ଆଣିବା ଲାଗି ଡିଜି, ଆଡିସନାଲ ଡିଜି ଅଫ୍ କ୍ରାଇମବ୍ରାଂଚ ସହ କଥା ହୋଇ ଆଇନଅନୁମଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସିଇଓଙ୍କୁ ଭେଟି ଦାବି କରିଛନ୍ତି ।
ଯଥାଶୀଘ୍ର ଏହି ମିଥ୍ୟା ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିବା ସହ ଧାମନଗର ଉପନିର୍ବାଚନ ମୁକ୍ତ, ଅବାଧ ନିର୍ବାଚନ କରିବା ଲାଗି ସିଇଓ କଡା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ

Spread the love