ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ପଦ୍ମପୁରରୁ ତଡିପାର କରାଯାଉ : ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୨୦/୧୧ : ବିଗତ ଦିନମାନଙ୍କରେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରାଇ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଇବା ପରେ ବର୍ତମାନ ମନ୍ତ୍ରୀ ପଦର କ୍ଷମତାକୁ ମଧ୍ୟ ଦଳୀୟ କାର୍ଯ୍ୟରେ ବ୍ୟବାହର କରୁଛି ଶାସକ ବିଜୁ ଜନତା ଦଳ । ଦୀର୍ଘ ୨୨ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ରହିଥିବା ଶାସକ ବିଜେଡି ବର୍ତମାନ ଗଣତନ୍ତ୍ର ପ୍ରତି ବିପଦ ସାଜିଛି । ଏପରିକି କ୍ଷମତାର ଅପବ୍ୟବହାର କରି ନିର୍ବାଚନ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରୁଥିବା ବିଜେଡି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କ୍ଷମତାକୁ ସଂକୁଚିତ କରୁଛି । ଏହା ଦ୍ୱାରା ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଟିତ ହେବାକୁ ନେଇ ସାଧାରଣରେ ବାରମ୍ବାର ପ୍ରଶ୍ନ ସୃଷ୍ଟି ହେଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଗାମୀ ପଦ୍ମପୁର ଉପନିର୍ବାଚନ ପାଇଁ ଗଣତନ୍ତ୍ରର ବିଧି ବ୍ୟବସ୍ଥା ଅନୁଯାୟୀ ଦଳୀୟ ପ୍ରଚାର କାର୍ଯ୍ୟ ଚାଲୁଥିବାବେଳେ ଶାସକ ବିଜେଡି ସମସ୍ତ ବିଧିକୁ ଉଲ୍ଲଂଘନ କରି ଶାସନ କ୍ଷମତାକୁ ବ୍ୟବହାର କରି ନିର୍ବାଚନ ପ୍ରଚାର କରିବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବା କାର୍ଯ୍ୟ ଆରମ୍ଭ କରିଦେଇଛି । ଗତ କାଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୁଜାରୀ ଯୋଗ ଦେଇଥିଲେ । ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ ଶ୍ରୀମତୀ କିରଣ ପଣ୍ଡାଙ୍କ ସ୍ୱାମୀ ତଥା ବରଗଡସ୍ଥିତ ଅଂଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣମୋହନ ପଣ୍ଡାଙ୍କ ଦ୍ୱାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଜଣେ ସରକାରୀ ବେତନପ୍ରାପ୍ତ ଅଧ୍ୟାପକ ଭାବେ ଶ୍ରୀ ପଣ୍ଡାଙ୍କ ଦଳୀୟ ସଭା ଆୟୋଜନ କରାଇବା ଦଣ୍ଡନୀୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଟେ । ତେଣୁ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ଗିରଫ କରାଯିବାକୁ ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି ।
ସେହିପରି ନିଜ ଅଫିସକୁ ଅପବ୍ୟବହାର କରି ସଭାରେ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ପୁଜାରୀ ଉପସ୍ଥିତ ଥିବା ସରକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସହ ପ୍ରିଜାଇଡିଂ / ପୋଲିଂ ଅଫିସର, ନିର୍ବାଚନ ପରିଚାଳନା ଦାୟୀତ୍ୱ ସମେତ ଟଙ୍କା ବଂଟା ସଂପର୍କରେ ଆଲୋଚନା କରିବା ଅନ୍ୟ ଏକ ଦଣ୍ଡନୀୟ ଅପରାଧ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା କାରଣରୁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଲୋକ ପ୍ରତିନିଧି ଆଇନର ଧାରା ୧୨୩ ଓ ୧୭୧ ଅନୁଯାୟୀ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ । ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ପୁଜାରୀଙ୍କୁ ସମସ୍ତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ରଖାଯିବା ସହିତ ନିର୍ବାଚନମଣ୍ଡଳୀ ସୀମା ବାହାରକୁ ତଡିପାର କରାଯାଉ ବୋଲି ଡ.ଲେଖାଶ୍ରୀ ସିଇଓଙ୍କ ନିକଟରେ ଦାବୀ କରିଛନ୍ତି ।
ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଯଦି ପ୍ରିଜାଇଡିଂ / ପୋଲିଂ ଅଫିସର ନିଯୁକ୍ତି ଏବଂ ନିର୍ବାଚନ ପରିଚାଳନା ପାଇଁ ଅଧିକାରୀ ନିଯୁକ୍ତିର ନିଷ୍ପତି ନେବେ, ତାହେଲେ ରାଜ୍ୟ ନିର୍ବାଚନ ଅଧିକାରୀ କରିବେ କଣ ? ଏହା ଦ୍ୱାରା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କ୍ଷମତା ସଂକୁଚିତ ହେଉ ନାହିଁ କି? ଏଭଳି ସମ୍ବେଦନଶୀଳ ଏବଂ ଅଗଣତାନ୍ତ୍ରୀକ ଘଟଣାରେ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ଆଇନ ଅମାନ୍ୟ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀଙ୍କ କାର୍ଯ୍ୟ ଉପରେ ରୋକ୍ ଲଗାଇବାର ବ୍ୟବସ୍ଥା କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କ ସହାୟତାରେ ପଂଚାୟତରାଜ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଶାସକ ବିଜୁ ଜନତା ଦଳ ସପକ୍ଷରେ ଭୋଟ କରାଇବା କାର୍ଯ୍ୟ କରୁଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ହସ୍ତକ୍ଷେପ କରି ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ପ୍ରତିନିଧିଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love