ପୋଷ୍ଟାଲ ଏବଂ ଦିବ୍ୟାଙ୍ଗ ଭୋଟକୁ ବିଜେଡି ସପକ୍ଷରେ କରାଇବାର ଦାୟୀତ୍ୱ ନେଇଛନ୍ତି ସ୍ଥାନୀୟ ବିଡିଓ: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୬/୧୧ : ଭୋଟ ସର୍ବସ୍ୱ ବିଜୁ ଜନତା ଦଳ ଯେଣତେଣ ନିର୍ବାଚନ ଜିତିବା ପାଇଁ ଶାସନ କ୍ଷମତାର ଅପବ୍ୟବହାର କରି ଗଣତନ୍ତ୍ରକୁ ହତ୍ୟା କରୁଛି । ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଆଇନ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଛି ଶାସକ ବିଜେଡି । ଚଳିତ ପଦ୍ମପୁର ଉପନିର୍ବାଚନରେ ପୋଷ୍ଟାଲ ଏବଂ ଦିବ୍ୟାଙ୍ଗ ଭୋଟକୁ ବିଜେଡି ସପକ୍ଷରେ କରାଇବାର ଦାୟୀତ୍ୱ ନେଇଛନ୍ତି ସ୍ଥାନୀୟ ବିଡିଓ । ଜଣେ ସରକାରୀ କର୍ମଚାରୀ ହୋଇ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଏବଂ ଦଣ୍ଡନୀୟ ଅପରାଧ । ନିର୍ବାଚନ ଗାଇଡଲାନ ଅନୁଯାୟୀ ପୋଷ୍ଟାଲ ଭୋଟ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବା ଉଚିତ୍ । ମାତ୍ର କେବଳ ଶାସକ ବିଜେଡି ପ୍ରତିନିଧିଙ୍କ ଉପସ୍ଥିତିରେ ଗତ କାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡାଭା ପଂଚାୟତରେ ପୋଷ୍ଟାଲ ଭୋଟିଂ ସମୟରେ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ସମୟରେ ସ୍ଥାନୀୟବାସିନ୍ଦା ବିରୋଧ କରିଥିଲେ । ଏ ପ୍ରସଙ୍ଗରେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ତେଣୁ ଡାଭା ପଂଚାୟତରେ ହୋଇଥିବା ପୋଷ୍ଟାଲ ଭୋଟିଂକୁ ବାତିଲ୍ କରାଯାଇ ପୁନଃ ଭୋଟିଂ କରାଯିବାକୁ ଆଜି ତଥ୍ୟ ଓ ପ୍ରମାଣ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ପଦ୍ମପୁର ନିର୍ବାଚନମଣ୍ଡଳୀରେ ସମୁଦାୟ ୩୧୯ଟି ବୁଥ୍ ରହିଛି ଏବଂ ଏଥି ମଧ୍ୟରୁ ୧୦୧ଟି ବୁଥ୍‌କୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ଅବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଆଜି ବିଜେପି ତରଫରୁ ଏକ ତାଲିକା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଛି । ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପୁଣି ଥରେ ନିବେଦନ କରାଯାଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ . 

Spread the love