ପୋଲିସ ପ୍ରଶାସନକୁ ନିର୍ବାଚନ କାର୍ଯ୍ୟରେ ଲଗାଇବା ବିଜେଡିର ଚିରାଚରିତ ଅଭ୍ୟାସ : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୫/୦୪: ଝାରସଗୁଡା ଉପନିର୍ବାଚନର ଗତକାଲି ଫାଇନାଲ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ । ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା । ଏହାଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ । ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି । ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ । ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ ବିଦା କରାଯାଉ । ଝାରସୁଗୁଡାରେ କିଭଳି ଆଇନ ଶୃଙ୍ଖଳା ଓ ଅବାଧ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହେବ ସେଥିନେଇ ଆଜି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ନିଜ ଦଳର ପ୍ରଚାର ପ୍ରସାର କାର୍ଯ୍ୟରେ ଲଗାଉଛନ୍ତି ଯାହା ନିର୍ବାଚନ ଆଚରଣ ବିରୋଧୀ । ପୋଲିସ ପ୍ରଶାସନ ଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରାଇବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love